Unknown

 

 

 

 

 

 

 

 

 

 

 

ଶରତବାବୁଙ୍କ ଗଳି

ଗୋପୀନାଥ ମହାନ୍ତି

 

ଉତ୍ସର୍ଗ

 

ଶରତବାବୁ, କିଶୋରବାବୁ, ପ୍ରସନ୍ନବାବୁ ଓ

ସୁଧାଂଶୁବାବୁ;

ସୈନିକ ରବିଦା ଓ ନ୍ୟାୟପତି ଗତି

ସମେତ—

ଜୀବନର ଗୋଟିଏ ସ୍ଥିତିକୁ

ଉପହାର ଦେଲି ।

ଜୀବନଟା ଜଳି ବି ତତେଇବ ନାହିଁ

କାହାପାଇଁ କପେ ଚା’ ?

କଞ୍ଚାମାଂସ ପରି କଞ୍ଚା ଜୀବନ, ଧୀରେ, ବନ୍ଧୁ, ଧୀରେ ।

ଗୋପୀନାଥ

Image

 

ଏକ

 

ମାନଚିତ୍ରରେ ତା’ର ସଙ୍କେତ ରେଖା ନାହିଁ, ଖବରକାଗଜରେ ତା’ର ନାଁ ବାହାରେ ନାହିଁ, ଶୁଭେନାହିଁ ରେଡ଼ିଓରୁ । ଦୂରରୁ ସେ ବାରିହୁଏ ନାହିଁ ତଥାପି ସେ ଅଛି, ଅତି ବାସ୍ତବ । ନିତିଦିନର ମଡ଼ା ବାଟ—ଶରତବାବୁଙ୍କ ଗଳି । ଏ ସଂସାରରେ ରାସ୍ତା ଅଛି—ଗଳି ଅଛି, ଯାହାର ନାଁ ସମସ୍ତେ ଜାଣନ୍ତି । ସେ ବାସ୍ତବ ହେଲେ ବି ଦୂରର କଳ୍ପନା—ଡାଉନିଂ ଷ୍ଟ୍ରୀଟ; ଟ୍ୱେଣ୍ଟି ସେଭେନ୍‌ଥ ଆଭିନ୍ୟୁ; ବାଦୁଡ୍‍ବାଗାନ, ଛତରା ବଜାର । କେଉଁଠି ଘଟନା ଘଟିଥିଲା, କେଉଁଠି ଘଟୁଛି, ସେସବୁ ଚଳନ୍ତି ଇତିହାସ ଭାବିଲେ କୁଣ୍ଢ ପାଏନାହିଁ ।

 

କିନ୍ତୁ ଶରତବାବୁଙ୍କ ଗଳି ଭବିଷ୍ୟତର ପ୍ରବଣତା ଘେନି ଅପେକ୍ଷା କରି ରହିଛି, ପଶିଲେ ଲାଗେ—ଏ ସନାତନ, ଏ ପ୍ରକୃତ । ଏଠି ଘଟନା ବଡ଼ ନୁହେଁ, ଗଳିହିଁ ବଡ଼ । ପଦେ ପଦେ ଚେତେଇ ଦିଏ ତା’ର ଅସ୍ତିତ୍ୱ, ଫୁଲଫାଙ୍କଡ଼ିଆ ମନକୁ ଓଟାରି ଆଣି ବାନ୍ଧିରଖେ ରାସ୍ତାରେ, ଆଉ, ଭାବିବାକୁ କହେ ।

 

ମୋଡ଼ ବୁଲି ଗଳିରେ ପଶିଲାବେଳକୁ ପ୍ରଥମେ ହିଁ କେତେଗୁଡ଼ିଏ ବାଉଁଶ କାରିଗରଙ୍କ ଘର । ରାସ୍ତାଉପରେ ଅନ୍ଧାରରେ ଆଲୁଅରେ ସବୁବେଳେ ଲାଗିଥାଏ କାମ । ଚିରା ବାଉଁଶ ପଡ଼ିଥାଏ । ରାସ୍ତା ସତେକି ଗୋଟାଏ କୁଟୀରଶିଳ୍ପ ପ୍ରଦର୍ଶନୀ । ଫୂର୍ତ୍ତି ହାତ, ଫୂର୍ତ୍ତି କାମ, ପ୍ରତି ମିନିଟରେ ପଇସା ତିଆରି ହେଉଛି, ଲୋକେ ଲାଗିଛନ୍ତି; ତାଟି, ଟୋକେଇ, ଓଦର, ବାଉଁଶ, ପଟି । କୁଜା କୁଜା ସାନ ସାନ ଘରେ ଡିବିରି ଆଲୁଅ ମିଟିମିଟି ଜଳେ । ଅନ୍ଧାରରେ ଶୁଭୁଥାଏ କ୍ଳାରିଓନେଟ୍ ଓ ମହୁରିର ଐକ୍ୟତାନ । ଏମାନେ ମଧ୍ୟ ବାଦ୍ୟକାର ।

 

ଏହି ପ୍ରାରମ୍ଭିକ ସଙ୍ଗୀତ ପରେ ପଶୁଁ ଶରତବାବୁଙ୍କ ଗଳିରେ ପଛେ ପଛେ ଓଦା ବାଉଁଶର ଗନ୍ଧ ଓ ଫୁରୁକୁଟିଆ ଗନ୍ଧ କ୍ଳାରିଓନେଟ୍‌ର ତା’ର ସ୍ୱରସଙ୍ଗେ ଗୋଡ଼େଇଛି । ଏଣିକି ବାଁ ପାଖେ ଖୋଲା ନର୍ଦ୍ଦମା ଓ ତା’ ସେପାଖେ କେତେଗୁଡ଼ିଏ ଘରର ପିଠିପାଖ ଏବଂ ଡାହାଣ ପାଖ ଲାଗିଲାଗିକା ଘର, ଯାହାର ଉଜ୍ଜ୍ୱଳ ମୁହଁ ହିଁ ରାସ୍ତାକୁ ଆଲୁଅ ଯୋଗାଉଥାଏ । ରାସ୍ତାର ଧୂଳି ଯୁଗଧୂଳି ପରି ଅତି ବହଳ, ସ୍ଥାନେ ସ୍ଥାନେ ଅତର୍କିତ ଖାଲ ଖମା–ଘଟନାର ଜନ୍ତା । ଡାହାଣପାଖରୁ ରୋଷେଇ ଘରର ବାସନା ଆସୁଛି, ବାଁପାଖରୁ ତା’ର ପରିସମାପ୍ତିର ଗନ୍ଧ, ମଝିରେ ରାସ୍ତା ସନାତନ, ଦୁର୍ଗମ, ଦୁର୍ଦ୍ଧର୍ଷ ।

 

ସ୍ଥାନେ ବସିଛନ୍ତି ପ୍ରାକୃତିକ ବାଦ୍ୟକାର; ପଞ୍ଝାଏ କୁକୁର ଠିକ୍‌ ରାସ୍ତା ଉପରେ । ମୁହଁକୁ ମୁହଁ ଯୋଡ଼ି ଧ୍ରୁପଦ ଅଭ୍ୟାସ କରୁଛନ୍ତି । ସଙ୍ଗୀତ ଚର୍ଚ୍ଚା ମଝିରେ ବ୍ୟାୟାମ ଚର୍ଚ୍ଚା ବି ମନେପଡ଼େ, କାହାରି କାହାରି ସେତେବେଳେ ସିଧା ଠିଆହୋଇ ବାହାକୁ ବାହା ଛନ୍ଦିଦେଇ ଏମାନେ ବୀରନାଦ କରନ୍ତି । ଦୂରରୁ ତା’ର ପ୍ରତିଧ୍ଵନି ଉପୁଜାଇ ବାହାରିଆସନ୍ତି ଆହୁରି ବୀର । ସେତେବେଳେ ସାରାରାସ୍ତାରେ କୁକୁରିଆ ଗର୍ଜନରେ ପୂରିଯାଏ । ଇନ୍‌କିଲାବ୍‌ ଜିନ୍ଦାବାଦ୍‌ । ପୁରୁଣା ରାସ୍ତା କଥା କହେ, ପୁଣି ସେ ତୁନିହୋଇ ଶୁଏ ।

 

ଡାହାଣ ପାଖରୁ ନଲଟଣ ପାଖେ ରୁଣ୍ଡ ନିଦୁଆ ଛାତ୍ରଙ୍କ ଆର୍ତ୍ତ ଚିତ୍କାର, ଗୁରୁ ଦ୍ୟୋତନା ଦେଉଛନ୍ତି, ‘‘ପଢ଼ ପଢ଼—ପଢ଼ ପଢ଼ ।’’ ସେଠି ବି ସନାତନ ଆଦର୍ଶ ।

 

କର୍ମରତ ଇନ୍‌ସପେକ୍ଟରବାବୁଙ୍କ ବସା ଟାଇପ୍‌ରାଇଟ୍‌ର ଠକ୍‌ ଠକ୍‌ ପିଟି ଚାଲିଛି । ପ୍ରତ୍ୟେକ ଠକ୍‌ ଯେପରିକି ରାଜ୍ୟର ଗଣ୍ଡଗୋଳକାରୀଙ୍କ ଗୋଟାଏ ଲେଖାଁ ପାହାର ।

 

ଠକ୍‌—ଠକ୍ ଭଗବାନ ମହାନ୍ତି ଠକି ଖାଇଛି ।

 

ଠକ୍‌—ଘରପଶା ଚୋର ସିନ୍ଧି କାଟୁ ।

 

ଠକ୍‌—ଗଣ୍ଡଗୋଳକାରୀ ।

 

ଠକ୍—କେଉଁଠି ଲୁଚିଛି ?

 

ଠକ୍‌ ଠକ୍‌ ଠକ୍‌—ଖୋଜ ଖୋଜ ଖୋଜ ।

 

ଠକ୍‌ ଠକାଠକ୍‌ ଠକାଠକ୍‌, ଖଟାଖଟ୍‌ ଦୁମାଦୁମ୍‌,ଠୋଠାଢୁ ।

 

ଆସୁଛନ୍ତି ପଞ୍ଝାଏ ତେଣୁ, ଲୁଙ୍ଗି, ଶୁଠା ଗୀତ ଗାଇ ଗାଇ । ଏଇଠି ଦବକ ଆସୁଛି, ଅନ୍ଧାରରେ ଲୁଚି ଲୁଚି ଛୁ ।

 

ତା’ପରେ ଡାକ୍ତରବାବୁ । ରାତି ନଅଟା ହେଲା, ଡାକ୍ତରଖାନାରୁ ଫେରୁଛନ୍ତି । ତଥାପି ଦୁଆର ମୁହଁରେ ଭିଡ଼, ବାରମ୍ବାର ଖଣ୍ଡିକାଶ, ଏକର ସେକର । ଦୂର ଦୂର ଦୁଃଖୀ—ସଂସାରର ପ୍ରତିଚ୍ଛବି ଏକାଠି ହୋଇଛି । ଝାଡ଼ା, ବୋହିଯାଉଥିବ—ଜୀବନୀଶକ୍ତି ଧୀରେ ଧୀରେ ତାହାରି ହାବୁକାରେ । ଜ୍ୱର—ଓ, କେତେ ତାତି ବଢ଼ିବଣି । ଆସୁଛି ଜଣେ ଧାଇଁ ଧାଇଁକା ଚିତ୍କାର କରି କରି କଙ୍କଡ଼ାବିଛା କାମୁଡ଼ିଛି । ଆଃ, ପିଲାଟି ଶୁକୁ ଶୁକୁ ହେଉଥିବ । କାହିଁ ଡାକ୍ତର, କାହିଁ ଡାକ୍ତର ? ହେଇଯେ, ଦୂରରୁ ପେଟ୍ରୋମ୍ୟାକ୍‌ସ ଆଲୁଅ ଦିଶିଲାଣି । ପଞ୍ଚମ ପୋଷ୍ଟମଟମ୍‌ ସାରି ଡାକ୍ତରବାବୁ ଫେରୁଛନ୍ତି । ଅନ୍ଧାରରେ ଆଲୁଅରେ କି ସୁନ୍ଦର ଦିଶେ ? ଆଃ ଡାକ୍ତର ! ଡାକ୍ତର !

 

କୁଆଡ଼ୁ ଆସି ପହଞ୍ଚିଛି ଗୋଟାଏ ଝଟକା । ଆର ଘର ଦୁଆରପାଖରେ ଅବକାରୀ । ତିନିଜଣ ଚପରାସି ଧରାଧରି କରି ବାବୁଙ୍କୁ ଓହ୍ଲାଇଦେଇ ଭିତରକୁ ନେଉଛନ୍ତି । କବାଟ ପଡ଼ିଲା, ଏ ଦୁଆର ଶୂନଶାନ୍‌ ।

 

ଆରପାଖେ ତହସିଲଦାର ବାବୁ । ରାତି ନଅଟା, ବସାରେ ବି ଅଫିସ୍ ଚାଲିଛି । କୁଢ଼ କୁଢ଼ ଫାଇଲ, ଦସ୍ତଖତ, ଦସ୍ତଖତ । ପଦାରେ ଗଦାଗଦା ମଣିଷ, ଜମିକୁ ପାଣି ଦରକାର, ଚିନି, କିରାସିନି, ଲୁଗା, ଆଶାୟୀ ମଣିଷ ଅବରୋଧ କରିଛନ୍ତି ଘର ଦୁଆର ମୁହଁ । କ୍ଳାନ୍ତିର ନିଦକୁ ଠେଲିବାକୁ ଆହୁରି ଚା’ ଦରକାର । ଆହୁରି ପାଣି । ‘‘ହଁ ତୁମେ କ’ଣ କହୁଚ ? ହେଲାତ ଏଥର, ଯାଅ, ଆଉ କ’ଣ ? ଯାଅ—ଆସ— ଆସ— ଦସ୍ତଖସ୍ତ ଦସ୍ତଖସ୍ତ ଦସ୍ତଖସ୍ତ ।

 

ସେପାଖେ ପଶୁଡାକ୍ତରବାବୁ । ଦିନଯାକର ପଶୁଚର୍ଚ୍ଚା ପରେ ସାହିତ୍ୟଚର୍ଚ୍ଚାରେ ମନ ଦେଇଛନ୍ତି । ଘରେ ଏକୁଟିଆ । ଯାଃ, କାଶଟା ବଢ଼ିଛି । ସାମ୍ନାରେ ସାନ ଆରସିଟିଏ । ବାରମ୍ବାର ନିଜର ପ୍ରତିଚ୍ଛବି ଉପରେ ନିଘା ପଡ଼ିଗଲେ ଛାତିକୁ କାନ୍ଧକୁ ଟାଙ୍କି ଦେଉଛନ୍ତି । ତିରିଶ ଇଞ୍ଚ ଛାତି । ଦିନେ ଦିନେ ମନେହୁଏ ଯେ ବଢ଼ିଛି, ଫୁଲିଛି । ଚିନ୍ତାରେ ବାଧାଦିଏ । ମୁହଁଟା ପୂରିଛି ନା । ହଁ, ସାହିତ୍ୟ ଲେଖିବାକୁ ହେବ । କଠୋର ପ୍ରତିଜ୍ଞା । ସବୁ ଏକାଧାରରେ ସେ । କେଉଁଠୁ ଆରମ୍ଭ ? ଧର୍ମ, ଅର୍ଥ, କାମ—

 

ପାଖଘରୁ ନର୍ସର ଗଳା ଶୁଭୁଛି । ନର୍ସର ଭାଇଟି ସବୁଦିନ ପରି ଟେବୁଲ ବାଡ଼େଇ ଆରମ୍ଭ କରିଦେଇଛି ସିନେମାର ଗୀତ ।

 

କି ଗର୍ଜନ !

 

ହଁ ସାହିତ୍ୟ ଲେଖିବାକୁ ହେବ । ନର୍ସର ଗଳା ଶୁଭୁଛି । ଭାଇ ଗୀତ ଗାଉଛି । ସନାତନ ଅପୂରଣ ପ୍ରତିଜ୍ଞା ।

 

ସାମ୍ନାରେ ହେଲ୍‌ଥଇନିସ୍ପେକ୍ଟର ବାବୁ । ଦୀର୍ଘକାୟ, ନୀରବ କର୍ମୀ । ଲ୍ୟାମ୍ପ୍‌ଟିଏ ଧରି ନଇଁପଡ଼ି କାନ୍ଥକୁ ବାଡ଼କୁ ଦେଖାଇ ଦେଉଛନ୍ତି । ଲ୍ୟାମ୍ପ୍‌ ଧାସରେ ଟୁପ୍‌ଟାପ୍‌ ଗଳିପଡ଼ୁଛନ୍ତି ମଶା । ସେ ମଶାଟା ଅତି ତରକା, ଉଡ଼ି ଉଡ଼ି ବସିଲାଣି ଛାତିତଳେ । ଲ୍ୟାମ୍ପ୍‌ ଆଗେଇ ଦେଉଛନ୍ତି । ସେଠି ବି ଦୃଢ଼ ପ୍ରତିଜ୍ଞା । କାଲି ପଡ଼ିଥିଲେ ଘଣ୍ଟାକେ ସତାବନଟି, ଆଜିର ଟାର୍ଗେଟ୍‌ ସତୁରି କାମ ଚାଲିଛି ।

 

ବଜାରରୁ ମଶାରିକନା ଗଲାଣି ଲୁଚି ।

 

ତା’ଛଡ଼ା, ସମୟ ତ ଅଛି ।

 

ଆର ଘରେ ସେଟଲମେଣ୍ଟ ସାହେବ ଦୁହେଁ, ପାଖକୁ ପାଖ । ଦିନଯାକ ହିଡ଼ବାଡ଼ ଲଙ୍ଘି ଘାଲିଆ ହୋଇ ଫେରି ମାଡ଼ି ମାଡ଼ି ପଡ଼ୁଥିବା ଆଖିପତାକୁ ଫାଡ଼ି ତଥାପି ସାରିବାକୁ ପଡ଼ିବ ଏତକ କାଗଜ । ଦୂର ଦୂରର ଜମି, ତୋଟା, ସତ୍ତ୍ୱ ।

 

ଧାଡ଼ିଏ ଲେଖାଁ ଲେଖା, ଗୋଟାଏ ଲେଖାଁ ଦସ୍ତଖତ । ନିଦ ନିଷ୍ପତ୍ତି, ଦିନଯାକର କ୍ଳାନ୍ତି । ଆରପାଖେ ମୁନସଫ୍‌ବାବୁଙ୍କ ବସା ଦୁଆରମୁହଁରେ ଦୁଇଜଣ ଦାଢ଼ିଆ ଜଗୁଆଳି । ଝରକାବାଟେ ଦିଶୁଛନ୍ତି ବାବୁ, ନଲଟଣ ପାଖେ ଟେବୁଲରେ ଭରାଦେଇ କାଗଜ ଆଡ଼କୁ ମୋହିଁ ଉହୁଙ୍କି ପଡ଼ିଛନ୍ତି । ରାତି ନ’ଟା, ରାୟ ଲେଖାଚାଲିଛି ।

 

ଧାଡ଼ି ଲମ୍ବିଯାଇଛି । ତେଣିକି ଧୋବାଘର, ମୂଲିଆଙ୍କ ଚାଳି । ଆଲୁଅ ନାହିଁ, ରାତି ନ’ଟାରେ, ଦିନର ଲେଶମାତ୍ର ନାହିଁ । କେତେବେଳେ ଶୋଇଲେଣି । କେବଳ ଅନ୍ଧାରରେ ମଝିରେ ମଝିରେ ଧୋବାଘର ଗଧଙ୍କ ଉଲ୍ଲାସ—ରାତିରେ ଛୁଟି ଅଛି, ଦିନରେ କାମ ।

 

ନିଶାଚର ଜୀବ ପରି ମଝିରେ ମଝିରେ ଦଳ ଦଳ ନାଗରିକ । ଝାମ୍ପୁରାବାଳ, ଲୁଙ୍ଗି, ସୁଠା, ଉଦ୍ଦେଶ୍ୟରେ ଅନ୍ଧାରର ବିସ୍ମୟ । ତୁଣ୍ଡରେ ସଙ୍ଗୀତ । ଦୂରରେ ବଜାର ଛକ । ପାଖରେ ଚିତ୍କାର କରେ ଗୋଟାଏ ଠିକା-ଟକୀ ସିନେମା । ତା’ର ଫଟାଛାତ ଓ ଚିରା କନାବାଡ଼ ବାଟେ ରାସ୍ତାରୁ ଉପଭୋଗ କରିହୁଏ ଭିତରର ଦୃଶ୍ୟ—ରାକ୍ଷସ ରାକ୍ଷସ ବାଡ଼ିଆ ବାଡ଼ି, କାଳୀଦଳନ, ଅତିକାୟ ମନୁଷ୍ୟ । ଗର୍ଜନ କରି କରି ସେ ସଙ୍ଗୀତ ଖଇରାତ୍‌ କରେ । ରାସ୍ତାଏ ରାସ୍ତାଏ ପ୍ରଚାର କରନ୍ତି ନାଗରିକ ।

 

ଏଇଠୁ ଗୋଟାଏ ଗଳିରେ ମଦଖଟିକୁ ବାଟ ।

 

ଟିକିଏ ବୁଲିଗଲେ ଆଉ ଗୋଟିଏ ପଡ଼ାକୁ । ଲୋକେ ଯାହାର ନାଁ ଧରନ୍ତି ନାହିଁ ।

 

ରାତି ନ’ଟା ।

 

ଦୁଇ

 

କେଉଁ ଜଣକ ଏଠି ଶରତବାବୁ ? କିଏ ସେ ?

 

ଯେଉଁଠି ଗୋଲଗାଲ ଆଶା ଉଚ୍ଛ୍ୱାସ, ରୁଢ଼ ନାହିଁ, କଅଁଳ ନରମ ଭାବରେ ମୁହଁ ଜୁଡ଼ୁ ବୁଡ଼ୁ । ଦୁନିଆର ଧରା ଧରି ପେଲାପେଲି ଭିତରେ ଆଡ଼େଇ ହୋଇ ଠିଆହୁଏ ଯେଉଁଠି ମଣିଷ, ଟିକଟ କାଟି ରେଲ୍‌ ଛାଡ଼ିଦିଏ ବରଂ ଗାଡ଼ିରେ ପଶିବାକୁ ଯୁଦ୍ଧ କରେନାହିଁ । ଭୋଜି ଶେଷରେ ହାତ ଥୋଇବାକୁ ବ୍ୟସ୍ତହୋଇ ପାଣି ପାଖରେ କହୁଣିଆ ମାରି ଆଗକୁ ମୁହେଁ ନାହିଁ, ଅପେକ୍ଷା କରେ, ଯେଉଁଠି ଅତି ତର ତର ହୋଇ ଲୋକେ ଧାଇଁ ପଳାଇଲା ବେଳେ ଜଣେ ଚାଲେ ଧୀରେ ଧୀରେ, ଦେଖି ଦେଖି ଚାଲେ, ଭାବି ଭାବି ଚାଲେ, ମନହେଲେ ଅଟକେ, ଯେଉଁଠି ଅତି ବାସ୍ତବ, ଅତି ଉଗ୍ର, ଘଟନାବହୁଳ ସଂସାରରେ କେହିଜଣେ କଳ୍ପନାକୁ ପୋତେ, ପାଣି ଢାଳେ । ଅନୁମାନ କରେ ସେ ଗଛ ହେଉଛି । ନିଦାଘ ଝାଞ୍ଜିଖରାରେ ଝାଳ ଦର ଦର ବୋହୁଥିଲାବେଳେ ଆରାମ ଚୌକିରେ ଘାଲେଇପଡ଼ି ମିଞ୍ଜି ମିଞ୍ଜି ଆଖିରେ ଡହ ଡହ ରାସ୍ତା ଧୂଳିକୁ ଚାହିଁ ମନେପକାଏ କେଉଁ ଶୀତଳ ବେଳର ସୁଖର ସ୍ମୃତି । ବେଳ ଟାଳିଯାଏ—

 

ସେଠି ସେ ।

 

ଖରାରେ ଆମ୍ବ ପାଚିବ, ଝଡ଼ିବ, ଝଡ଼ୁ !

 

କେତେ ପ୍ରଜାପତି ଜନ୍ମ ହେବେ । କେତେ ଉଡ଼ିବେ, କେତେ ପଡ଼ିବେ—ଯାଆନ୍ତୁ । ଲୋକେ ବଡ଼ ହେବେ ସାନହେବେ, କାନ୍ଦିବେ, ହସିବେ, ଏହି ତ ଦୁନିଆଁ ? କିନ୍ତୁ ମାପରେ ପାଏ ହେବାକୁ କି ଚୌଦ ପା ହେବାକୁ ମାପକାଠି ନିଜ ହାତରେ ନିଜେ ସେ ଚୌଦ ପା, ଅଠରପା—ଶରତବାବୁ, ଆପଣାର ଗୋଲେଇ ମୁହଁର ଓ ଦେହର ଓ ମନର । ପରକୁ ବୁଝେଇବାକୁ ଏତେ ଗରଜ ନାହିଁ । ପରର ମାପକାଠି ଭୁଲ୍‌ ସବୁଦିନେ, ଲୋକେ ବଡ଼ ମାଣରେ କିଣନ୍ତି, ସାନ ମାଣରେ ବିକନ୍ତି, ଏହି ତ ସଂସାର ।

 

ଶରତବାବୁ ଟାଳିଯାଆନ୍ତି, ଟାଳିଯାଆନ୍ତି, ଗୋଲ ମୁହଁଧାର ହୁଏନାହିଁ । ନିଦ୍ରା ପ୍ରଚୁର ହୁଏ, ବନ୍ଧୁମାନଙ୍କ ସଙ୍ଗେ ସମୟମରା କଥା କହୁ କହୁ ଘୁଙ୍ଗୁଡ଼ି ମାଡ଼ିଆସେ । ସେଇଠି ସେ ଆଉଜି ପଡ଼ନ୍ତି ସଂସାରରେ କ୍ଳେଦ କ୍ଳେଶ ପଛେଇ ରହେ ।

 

କିନ୍ତୁ କେବଳ ଏପରି ହେଲେ ମରାମରି ଠେଲାଠେଲି ଜୀବନ ସଂଗ୍ରାମର ନିଷ୍ଠୁର ଦୁନିଆଁରେ ଧୀରେ ଧୀରେ ଗତି କରିବାକୁ ପଡ଼ନ୍ତା, ହିମାଳୟ ଆଡ଼କୁ, ତେଣୁ ଶରତ୍‌ବାବୁ କେତେଗୁଡ଼ିଏ ବ୍ୟବହାରିକ ରକ୍ଷାକବଚ ସାଧିଛନ୍ତି । ଅର୍ଥ ଓ ଅର୍ଥକାରୀ ବିଦ୍ୟାସାଧନ ଛଡ଼ା ସାଧାରଣ ବ୍ୟବହାରରେ କେତେଗୁଡ଼ିଏ ବନ୍ଧାଗତ । ଦେଖାହେଲେ କହିବେ—‘‘ବଡ଼ କାର୍ଯ୍ୟବ୍ୟସ୍ତ, ମୋଟେ ପାଞ୍ଚମିନିଟ୍‌ ସମୟ ଅଛି ।’’ ଛାତି ପକେଟରୁ କାଢ଼ି ବଡ଼ ଘଣ୍ଟାଟି ବାରମ୍ବାର ଦେଖୁଥିବେ । କୋଡ଼ିଏ ମିନିଟ୍‌ପରେ, ‘‘ଆଃ, ବଡ଼ ଡେରି ହୋଇଗଲା । ଯାଏଁ ଏଥର ।’’ ଯାଏଁ—ଯାଏଁ ଡେରିହେଲା—ବେଳନାହିଁ, ଖୁବ୍‌ ଗମ୍ଭୀର ହୋଇ ଆଧୁନିକ ସମ୍ଭାଷଣର ଆଟମିକ୍ ଏନର୍ଜି ନିଜ ତୁଣ୍ଡରେ ଛାଡ଼ି ସେ ଖୁବ୍‌ ଆମୋଦ ପାଆନ୍ତି । ତା’ଛଡ଼ା କଥାର କେତେକ ଛଟକ, ଏକା ହାପୁଡ଼ାରେ ସଂସାରର ସବୁ ସତ ମିଛ ଗ୍ରହଣ କରିବାକୁ, ମନଥିଲେ ବି ତୁଣ୍ଡରେ ସେ ନାସ୍ତିକ, ତାର୍କିକ, ଅବିଶ୍ୱାସବାଦୀ । ସେ ଯାହା କହିଲେ ବି ଶେଷରେ ଶ୍ଳେଷାତ୍ମକ ଅବିଶ୍ୱାସ ପ୍ରସ୍ତାବ, ଯେପରିକି ସେ କହିବାକୁ ଚାହାନ୍ତି, ‘‘ତୁମେ ଯାହା କହୁଛ କହ, ମୁଁ ବିନା ପ୍ରମାଣରେ ବିଶ୍ୱାସ କରିବି ନାହିଁ ।’’ ଏପରି ଯୁକ୍ତି ଯୋଗୁଁ ବକ୍ତା ଅଣ୍ଟାଭିଡ଼ି ଲାଗିପଡ଼ନ୍ତି ଆହୁରି ଅନର୍ଗଳ ବକିବାକୁ, ଅବିଶ୍ୱାସୀର ଆଖିରେ ମୁହଁରେ ବି ବିଶ୍ୱାସର ରଶ୍ମି ଫୁଟିଉଠେ । ଏକାପ୍ରକାର ଠାଣିରେ ଚାହିଁ ରହି ରହି ଶରତବାବୁ ଶୋଇପଡ଼ନ୍ତି । ଶ୍ରୋତାଙ୍କ ଭିତରେ କଥାର ଦ୍ୱନ୍ଦ୍ୱ ଚାଲେ ।

 

ସଂସାରରେ ସବୁ ଛିଣ୍ଡେ, କେବଳ କଥା ଛିଣ୍ଡେନାହିଁ, ଯୁକ୍ତି ସରେନାହିଁ । ଶେଷରେ ବିଳିବିଳେଇଲା ପରି ନିଦରୁ ଉଠି ଶରତବାବୁ ଦିଅନ୍ତି ପ୍ରାନ୍ତ ଭାଷଣ ସାତପଦ, ଅତି ଶାନ୍ତ, ମଧୁର ଗଳାରେ । ସେ ଅଳ୍ପ, ତେଣୁ ସଂଯତ, ମୂଲ୍ୟବାନ୍‌ । ତାଙ୍କର ବିଜୟ ଅତୁଟ ରହେ ।

 

ସଂଯମ ନ ଭାଙ୍ଗି ମାଟିପିଣ୍ଡ ଦିଶେ ସୁନ୍ଦର । ସୁଠାମ ।

Image

 

ତିନି

 

ଜହ୍ନ ରାତି ।

 

ଅନନ୍ତ ପରି ଶୋଇଛି ଶରତବାବୁଙ୍କ ଗଳି, ଚିତ୍ରିତ ସାପ ।

 

ପବନ ବିଞ୍ଚିଦେଉଛି, ଧୂଳିର ମେଘ;ଜଣା ପଡ଼ୁନାହିଁ; ଜଣାପଡ଼ିଛି ପବନର ଶୀତଳ । ରାତି ନଅଟା । ଆପଣା ଆପଣା ଉପାୟରେ ସମସ୍ତେ ଜହ୍ନରାତିକୁ ଉପଭୋଗ କରୁଛନ୍ତି ।

 

ଠିକା ଟକିଜ୍‍ର କଣା ଛାତବାଟେ ଜହ୍ନର ସୈନ୍ୟ ଆଭିଜାତ୍ୟହୀନ ଛବିଘରକୁ ଆକ୍ରମଣ କରିଛନ୍ତି । ଚିରା ପର୍ଦ୍ଦାବାଟେ ରାସ୍ତାରୁ ସେ ଦିଶୁଛି ନିଷ୍ପ୍ରଭ, ତଥାପି ତା’ର ପଶ୍ଚିମା ଗୀତ କୁହାଟି ଛାଡ଼ିଛି । ସେପାଖେ ମଟରଗୁଡ଼ାଏ ଘଡ଼ର ଘଡ଼ର ହେଉଛି । ରହି ରହି ରାସଭରେ ଡକାଡକି ହୋଇ ଧୋବାଘର ଗଧ ରାସ୍ତାରେ ଏ ମୁଣ୍ଡୁ ସେ ମୁଣ୍ଡୁ କୁଦାକୁଦି ହେଉଛନ୍ତି । ପଛରେ ବୋବେଇ ବୋବେଇ କୁକୁର । ବାଉଁଶ କାରିଗର ଛାଡ଼ିଛନ୍ତି କ୍ଳାରିଓନେଟ୍‌ ଓ ଢୋଲର ଐକ୍ୟତାନ । ଜଣେ କିଏ ବଇଁଶୀରେ ଚେଷ୍ଟା କରୁଛି, ‘‘ଚଲ୍‌ ଚଲରେ ନଓଜୋଆନ୍‌’’ ନୂଆ ନୂଆ ଚେଷ୍ଟାରେ ନୂଆ ନୂଆ ରାଗିଣୀର ଭଗ୍ନାଂଶ ଶୁଭୁଛି, ଆଦ୍ୟରେ ଖାଲି ଚଲ୍ ଚଲ୍‌ । ନର୍ସର ଭାଇ ଗରଜି ଲାଗିଛି ନାନା ଗୀତ-। ଶିଖିଥିବା ସବୁ ଗୀତ ଝାଡ଼ ଝୁଡ଼ କରି ସେ ଆଜି ପ୍ରମାଣ କରିବ ସେ ଅତି ଆଧୁନିକ । ଧୋବାଘରୁ ଜଣେ କିଏ ଗୁଣୁ ଗୁଣୁ ହେଲାଣି । ଏଥର ସେଠୁ ବି ସଙ୍ଗୀତର ଲହଡ଼ି ଉଛୁଳିବ ।

 

ଗୋଲ ଜହ୍ନ ଫୋକ୍‌ସ ପକାଇଛି, ସମସ୍ତିଙ୍କ ନିଜଠୁଁ ଭିତରକୁ ଭିତରକୁ ।

 

ପ୍ରସନ୍ନବାବୁ ଜହ୍ନକୁ ଚାହିଁ ଅତୀତକୁ ମନେପକାଉଛନ୍ତି । ଉଠୁଛି ଦୀର୍ଘଶ୍ୱାସ । ଜହ୍ନ ଆଲୁଅରେ ଦିଶୁଛି, ଏକାଠି ଚାକିରି ଆରମ୍ଭ କରି ଦଳ ଦଳ ଆଗକୁ ଗଲେଣି, କେତେ ଆଗକୁ । ବାରବର୍ଷ ଗଲା, ସେ ନିଜେଁ ଯେଉଁଠି ସେଇଠି । ଉପରକୁ ଓଟାରିବାକୁ ବନ୍ଧୁ କେହି ନାହାନ୍ତି, ବନ୍ଧୁର ଜୀବନ । ଜୀବନର କେତେ ଆକାଙ୍‌କ୍ଷା ଅପୂର୍ଣ୍ଣ ରହିଗଲା । କାଲି ଆସିଥିଲା ମଟରବିକା ଏଜେଣ୍ଟ । ସ୍ୟାମ୍ପ୍ଲ ଚଢ଼ି ଆସିଥିଲା, ଆଣିଥିଲା କେତେ ଛବି । ସେସବୁ ଅତୀତର ସ୍ମୃତି, ବ୍ୟଥା । ସବୁଦିନ ପରି ଆଜିବି ନିଜ ସଙ୍ଗେ ଅଛିଣ୍ଡା ଦ୍ୱନ୍ଦ୍ୱ, to be or not to be. ସବୁଦିନ ପରି ଆଜି ବି ସାତ ପାଞ୍ଚ–‘‘ଛାଡ଼ିଦେବି ? ଛାଡ଼ିଦିଅନ୍ତି, କରନ୍ତି ଗୋଟିଏ କୁକୁଡ଼ା ଫାର୍ମ, ଜାତି ଜାତି କୁକୁଡ଼ା’’ ଜହ୍ନ ଆଲୁଅରେ ଲେଗ୍‌ହର୍ଣ୍ଣ କୁକୁଡ଼ା ଧଳାପକ୍ଷୀ ଫଡ଼ ଫଡ଼ କରି ଧାଇଁଯାଆନ୍ତି ଆକାଶମୁହାଁ । ଆଶଙ୍କା ହୁଏ, ଯଦି କୁକୁଡ଼ା ଛୁଆକୁ ଚିଲ ଖାଇବ ? ଯଦି ପଡ଼ିବ କୁକୁଡ଼ା ମଡ଼କ ? ତେବେ ? ଦୀର୍ଘଶ୍ୱାସ-

 

ଜହ୍ନ ଆଲୁଅ ସୁନ୍ଦର ଜୀବନର ସ୍ୱପ୍ନ ଆଣେ, ଧରାଦିଏ ନାହିଁ । ଦ୍ୱନ୍ଦ୍ୱର ତୀକ୍ଷ୍‌ଣତା ବଢ଼େଇ ଦେଇ ଘରୁ ଶୁଭେ ପିଲାଙ୍କ ଚହଳ ।

 

କିଶୋରବାବୁ ଭବିଷ୍ୟତକୁ ଚାହିଁଛନ୍ତି, ସଂସାରୀ ଜୀବନର ଆରମ୍ଭ ଏହି । ଏ ଦେଶରେ ଆରମ୍ଭରୁ ଯାହା କାମ୍ୟ ଓ ସମ୍ଭବ, ତାହା ତାଙ୍କର ଅଛି, ତାହା ସେ ପାଇଛନ୍ତି । ଅଦୂର ଭବିଷ୍ୟତରେ ବିଦେଶର କଳ୍ପନା, ତାହାମଧ୍ୟ ସମ୍ଭବ । ଯୋଗ୍ୟତା ଅଛି, ପ୍ରବଣତା ଅଛି । ଚେତନା ଗମ୍ଭୀର ହୋଇ ମାଡ଼ିପଡ଼େ, କଳ୍ପନାକୁ ନିସ୍ତେଜ କରିଦିଏ କଳ୍ପିତ ଦାୟିତ୍ୱର ଗୁରୁଭାର । ଜହ୍ନ ଆଶ୍ୱାସ ଦିଏ ।

 

ସମସ୍ତେ ଜହ୍ନବିଭୋର, ଅଥଚ ଆକାଶ ଜହ୍ନ ଚିଆଁଇଛି ଅତି ବସ୍ତୁବାଦୀ ଦାନାପାଣିର ପାଞ୍ଜିର ପୃଷ୍ଠାକୁ । କବିତା ଗୃହସ୍ଥ ସୃଷ୍ଟି କରିଛି ।

 

ଶରତ୍‌ବାବୁ ବୁଲି ବାହାରିଛନ୍ତି ସପରିବାରେ । ଗନ୍ତବ୍ୟ ପଥ ଆପଣାର କାର୍ଯ୍ୟାଳୟ । ଏହି ସେ ଦୂରରେ, ଇଟାଚୂନର ପୁରୁଣା ଘର ଓ ପୁରୁଣା ଗଛ କେତେ । ପଦାରେ ମୋଚିମାନେ ବସନ୍ତି । ରାସ୍ତା ଆରପାଖେ ସାଧାରଣ ଭୋଜନାଳୟ ।

 

‘‘ଏଇଠି ମୁଁ ବସେଁ—ଏଁ ।’’

 

ରାତି ନ’ଟା, ଏଠି ନିର୍ଜନ । କେତେ ଲୋକ ଏଠି ବସିଛନ୍ତି, କେତେ ଲୋକ ଯାଇଛନ୍ତି । ତଥାପି ମଣିଷ ଖୋଜିବୁଲେ ତା’ର ଆସ୍ଥାନ । ଚିହ୍ନିଲେ ଦମ୍ଭ ଆସେ, ଏଇଠି; କିଲିବିଲି ଦୁନିଆର ହାଟରେ ନିଜକୁ ଚିହ୍ନୋଟ କରେ । ନିଜକୁ ଆଉଁଷେ—ମୁଁ, ଚଳନ୍ତି ଦୁନିଆରେ ବିଶ୍ୱାସ ରଖେ ଆପଣାର ଅଟଳ ସ୍ଥିତିକୁ, କହେ ମୁଁ ଏଇଠି ବସେ, ମୁଁ ସ୍ୱତନ୍ତ୍ର, ମୁଁ ଚିରଞ୍ଜୀବୀ । ଆଉ ଯେତେବେଳେ ସାଙ୍ଗ ଲୋକଙ୍କଠୁଁ ପାଏ ତା’ର ପ୍ରତ୍ୟୁତ୍ତର, ଗୋଟିଏ ସମର୍ଥନ ବା ଗୋଟିଏ ସୂଚନା ବା ଗୋଟିଏ ଆଶ୍ୱାସ । ସେ ଫୁଲିଉଠେ, ବିଶ୍ୱାସରେ ପାଏ ଅଟଳ ଧ୍ରୁବ । ଜହ୍ନରାତି ବାଟ କଢ଼େଇଛି, ଶରତବାବୁ ଯାଉଛନ୍ତି ଆପଣାକୁ ଦେଖିବାକୁ । ଗଳିରେ ଭାବନା ଅନେକ ଦୂର ଆଗେଇଲାଣି । ପ୍ରସନ୍ନବାବୁ କୁକୁଡ଼ାଫାର୍ମରୁ ଫେରିଆସିଲେଣି ଆପଣା ସ୍ଥାନକୁ । ‘‘ସେମାନେ ଆଗକୁ ଗଲେଣି, ଯାଉନ୍ତୁ । ଏଥର ମୋର ଜିତା ହୋଇନାହିଁ, ନହେଉ, ହୁଏତ ଆରଥର । ଆରଥର ପାଖ ହେଲାଣି ପରା ! ପୁଣି ଆସୁଛି ଯୋଗ, ଏଥର ନିଶ୍ଚୟ, ଏଥର ନିଶ୍ଚୟ ।’’ ପୁଣି ଦିଶିଯାଉଛି ସେ ମଟରବିକା ଏଜେଣ୍ଟର ମୁହଁ । ସେମାନେ ଆସୁଥିବେ, ସେମାନେ ଆସୁଥିବେ । ଦୀର୍ଘ ଜୀବନ ଥିଲେ ପୂର୍ଣ୍ଣ ହେବ ଜୀବନର ସବୁ ଆଶା, ଆଜି ନହେଲେ କାଲି । କ୍ଷତି କ’ଣ ? କିଶୋରବାବୁ ବୁଡ଼ିଲେଣି ଅତୀତରେ, ଗୋଟାଏ ସୁଖର ସ୍ମୃତି ମନେପଡ଼ୁଛି । ସୁଧାଂଶୁବାବୁ ଭାବିଲେଣି କାଲିକା କଥା—ବଡ଼ ଦୂର ଯିବାକୁ ହେବ ଯେ, ଖରା ଯେ ଟାଣ । ଡାକ୍ତରବାବୁ ଅନୁଭବ କଲେଣି କ୍ଷୁଧା, ଆଉ ଡେରିକଲେ ଗ୍ୟାଷ୍ଟ୍ରିକ ନିଜର କ୍ଷତି କରିବ ଯେ, ଭବିଷ୍ୟତର ଯୋଜନା—ଦାନାପାଣି ଚିନ୍ତାର ଅଛିଣ୍ଡା ଖିଅ, ବଳେ ତା’ର ସମାପ୍ତି ହେବ ଭାତ ଥାଳି ପାଖେ ।

 

ଚାରି

 

ଜୀବିକାର କାମ, ତା’ପରେ ଘର–କାମ, ଘର, କାମ, ଘର, ବିରାମ ନାହିଁ । ପରିବର୍ତ୍ତନ ନାହିଁ, ଘଟନା ନାହିଁ । ସେହି ଗଳି, ସେହି ବସା । ଏହି ଅବସରରେ ସାନପିଲା ବଢ଼ିଉଠନ୍ତି, ନୂଆପିଲା ଜନ୍ମ ହୁଅନ୍ତି । ସେମୁଣ୍ଡର ଧୋବାସାହିରୁ ଗଲେଣି ଦି’ଜଣ ବୁଢ଼ା, ଏମୁଣ୍ଡର ବାଉଁଶିଆ ବସ୍ତିରେ କଙ୍କଡ଼ାବିଛା କାମୁଡ଼ାରେ ଗୋଟିଏ ସାନପିଲା ଚାଲିଗଲା । ବାହାରେ ବିଲମାଳରେ କେତେ ଫସଲ ହେଲାଣି, କଟା ହେଲାଣି, ପୁଣି ହେଲାଣି । ମଟର ଷ୍ଟେସନରେ ପ୍ରତି ପନ୍ଦର ମିନିଟ୍‌ରେ ଦୂର ଦେଶରୁ ମଣିଷ ବୋଝେଇ ହୋଇ ମଟର ଆସେ ନିତି, ମଟର ଯାଏ । ଚଳନ୍ତି ପବନ ଉଡ଼ନ୍ତା ଧୂଳି, ତା’ର କଳନା ନାହିଁ । ଶରତବାବୁଙ୍କ ଟେବୁଲ୍‌ର ପୁରୁଣା ଚିଠି ଖଣ୍ଡେ ଉଡ଼ିଯାଇ ପିଣ୍ଢାରେ ପଡ଼ିଥିଲା, ସେଠୁ ଉଡ଼ି ରାସ୍ତାକୁ, ରାସ୍ତାରୁ ଆର ରାସ୍ତାକୁ, ତା’ପରେ ବିଲକୁ । ଏହିପରି କେତେ କିଆରି ଟପି କେଉଁ ନିଛାଟିଆ ହିଡ଼ ତଳେ ସେ ଖଣ୍ଡି ଅଧେ ଖତ ହେଲାଣି । ତଥାପି ଘଟନାର ଚେତନା ନାହିଁ । ଘଟନା ନାହିଁ ।

 

‘‘ବୁଝିଲ ସୁଧାଂଶୁ, କେଡ଼େ ମାନ୍ଦା ଦେଖ ତ, ଜୀବନ ଏଡ଼େ ଘସରା ହେଲାଣି, ଲାଗୁଛି ନିତାନ୍ତ ଦୁର୍ବହ ।’’

 

‘‘ସେକଥା ଆଉ କହନ୍ତୁ ନାହିଁ ।’’ ପ୍ରସନ୍ନବାବୁ କହନ୍ତି—‘‘ହେଇ ଦେଖନ୍ତୁ ନା, ଚାକିରି କଥା ଦେଖନ୍ତୁ । ଚାହୁଁ ଚାହୁଁ ଗଲାଣି ବାରବର୍ଷ, ମଣିଷ ଯେଉଁଠି ସେଇଠି । କୁହାପୋଛା କରିବା ଲୋକେ, ଧରାଧରି କରିବା ଲୋକେ, ବନ୍ଧୁବାନ୍ଧବ ପ୍ରିୟାପ୍ରୀତି ଥିବା ଲୋକେ, କେତେ ଦୂରରେ ସେ ଉଠିଲେଣି ଦେଖନ୍ତୁ ଆମକଥା କିଏ ପଚାରୁଛି ? ଯେତେ ଛଟପଟ ହେଲେ ବି ଘଟନା ଘଟୁନାହିଁ, ଦେଖନ୍ତୁ କି ମୁସ୍କିଲ ।’’

 

କିଶୋରବାବୁ ସହାନୁଭୂତିରେ ମୁଣ୍ଡ ନୁଆନ୍ତି । କଥା ବୁଲାଇ କହନ୍ତି—‘‘ବାସ୍ତବିକ୍‌ ବଡ଼ ଖରାପ ଲାଗୁଛି । ଦେଖନ୍ତୁ ଏଠି ମୋର ହୋଇଗଲା ଗୋଟାଏ ବର୍ଷ । ଗଣ୍ଡ ମଫସଲ, ବସା ତ ଗୁହାଳଠୁଁ ହୀନ, ମଣିଷ କି ପାପ କଲା ଯେ, ରହିବାକୁ ହେବ ସଭ୍ୟ ସମାଜଠୁଁ କେତେ ଦୂରରେ । ଥିଏଟର ନାହିଁ, ବାଇସ୍କୋପ ନାହିଁ, ସଙ୍ଗୀତ ନାହିଁ, ସମାଜ ନାହିଁ, କିଛି ନାହିଁ ।’’

 

ଡାକ୍ତରବାବୁ ଖୁବ୍‌ ଜୋରରେ କଥାକୁ ସମର୍ଥନ କରି କହନ୍ତି—‘‘କିଛି ନାହିଁ ଆଜ୍ଞା, କିଛି ନାହିଁ । ନିପାଣିଆ ଦେଶ, ଦିନଗୁଡ଼ାକ କଟୁଛି ଖାଲି ଖାଲିଟାରେ ଅଲଣା ଅଲଣା । ସକାଳୁ ସଞ୍ଜଯାକେ ମଣିଷର କଟୁଛି ଯେମିତି, ନିଶ୍ୱାସ ମାରିବାକୁ ଫୁରୁସତ୍‌ ନାହିଁ, ଦେଖୁଛନ୍ତି ତ ଆପଣମାନେ । ଦିନ କେତେବେଳେ ଉଉଁଛି, କେତେବେଳେ ଯେ ଯାଉଛି !’’

 

ଦୁର୍ବହ ଜୀବନ, ଘଟନା ଘଟୁନାହିଁ ବୋଲି ସମସ୍ତିଙ୍କର ଆକ୍ଷେପ ଖବରକାଗଜ ଗଣ୍ଡା ଗଣ୍ଡା ଆସୁଛି; ପଢ଼ା ହେଉଛି, ଫୋପଡ଼ା ହେଉଛି । ମଟର ଷ୍ଟେସନରେ ରେଡ଼ିଓ ଗର୍ଜି ଲାଗିଛି ସଞ୍ଜ ସକାଳେ ।

 

ଲୋକେ ହସୁଛନ୍ତି, କାନ୍ଦୁଛନ୍ତି, ମରୁଛନ୍ତି, ଜନ୍ମ ହେଉଛନ୍ତି । ତଥାପି ଘଟନା ଘଟୁନାହିଁ ବୋଲି ତୀବ୍ର ଆକ୍ଷେପ ।

 

ଶରତ୍‌ବାବୁଙ୍କ ଗଳି ଆକ୍ଷେପ ଶୁଣେ, ଶୋଇଥାଏ ଗାଲପାରି ଘଟନାର ଆରପାରି ସେ ଗୋଟିଏ କ୍ଷୁଦ୍ର ଗଳି, ମାଟିଧୂଳିର ଫାଙ୍କା ବିସ୍ତୃତି । ପାଣିପଡ଼ିଲେ ସେଠି ଅଗଛା ଗଜୁରି ଉଠେ; ତାତିରେ ଯାଏ ଭସ୍ମ ହୋଇ ।

 

ଜୀବନ ଘଟନାହୀନ, ଜୀବନ ନୀରସ, ତଥାପି ଇନିସ୍ପେକ୍ଟର ବାବୁଙ୍କ ବସାରୁ ଶୁଭୁଥାଏ ଟାଇପ୍‌ର ଠକାଠକ୍‌; ବାଉଁଶିଆ ବସ୍ତିର କ୍ଳାରିଓନେଟ୍‌ ବାଜେ ।

 

ପାଞ୍ଚ

 

ଘଟନା ପାଇଁ ଏତେ ଲୋକଙ୍କ ହତାଶି ଅନୁନୟ ପହଞ୍ଚିଥିଲା ଆକାଶୀ ଦେବତାଙ୍କ କାନରେ । ଘଟନା ଘଟିଥିଲା, ଟେକା ବୃଷ୍ଟି ହେଲା ।

 

ସେ ଗୋଟିଏ ଶାନ୍ତ ରାତି, ହଲ୍‌ ନାହିଁ ଚଲ୍‌ ନାହିଁ । ଯେତେବେଳେ ଗଳି ଉପରେ ପାଞ୍ଚ ସାତଜଣ ଭଦ୍ରଲୋକ ନିଜ ନିଜ ମାନ୍ଦା ଜୀବନର ଅନୁଭୂତି ତୁଳନା କରି ପ୍ରତ୍ୟେକେ ନିଷ୍ଠୁର ଆନନ୍ଦ ପାଉଥିଲେ ଆପଣା ଆପଣା ଖର୍ଚ୍ଚରେ, ଯେ ସେ ବେଶୀ ଅତ୍ୟାଚାରିତ, ସେ ବେଶୀ କଷ୍ଟୀ, ଅନ୍ୟମାନଙ୍କର ତାଙ୍କ ସଙ୍ଗେ ତୁଳନା ହୋଇନପାରେ ।

 

ଦୀର୍ଘକାୟ ହେଲ୍‌ଥ ଇନିସ୍ପେକ୍ଟରବାବୁ ଖୋଲା ଦେହରେ ଉପରକୁ ଦୁଇହାତ ଟେକି ଧାଇଁଆସି ପ୍ରଚାର କଲେ, ‘‘ଆଜ୍ଞା—ଟେକା, ଆଜ୍ଞା—ଟେକା—’’

 

‘‘ଟେକା !’’

 

‘‘ହଁ ଆଜ୍ଞା, ବାରମ୍ବାର ପାଞ୍ଚ ସାତଥର ପଡ଼ିଲା, ଆଉ ଟିକିଏ ହୋଇଥିଲେ ମୋ ମୁଣ୍ଡ ଉପରେ ବସିଥାନ୍ତା, କିଏ ଟେକା ପକାଉଛି ଆଜ୍ଞା, ଦେଖନ୍ତୁ କି ଅନ୍ୟାୟ !’’

 

ଶରତ୍‌ବାବୁଙ୍କ ଘରୁ ପୂଝାରିର ବୀରନାଦ ଶୁଭୁଛି, ରୋଷେଇ ଘର କବାଟ ବନ୍ଦ, ସ୍ୱର ଘୁମୁରା ଶୁଭୁଛି—‘‘ଆ ଆ, ଏମିତି ଟେକା ପକେଇଲାବାଲା, ଏକ ପାହାରକେ ମୁଣ୍ଡ ଛେଚିଦେବି । ଭାରି ଟେକା ପକେଇଲାବାଲା, ଆରେ—ଚିହ୍ନିନାହିଁ, ଜାଣିନାହିଁ ।’’ ସାମ୍ନାପାଖ ଛାତ ଉପରେ ଦୁମ୍‌ ଦାମ୍‌ ଢପ୍‌ ଢାପ୍‌, ଛାତଉପରୁ ରାସ୍ତାକୁ ଗଡ଼ିପଡ଼ୁଛି ଟେକା ।

 

ଏ ଚାକ୍ଷୁଷ ପ୍ରମାଣ ଦରକାର ନାହିଁ । ବାସ୍ତବିକ୍‌ ଘଟନା ଘଟିଛି । ପଙ୍ଗତ ଭାଙ୍ଗିଗଲା ।

 

‘‘ଅନୁସନ୍ଧାନ ଦରକାର, ପୁଲିସ୍‌କୁ ଖବର ଦିଅ ।’’ ଶରତ୍‌ବାବୁ କହିଲେ ଏବଂ ଉଠିପଡ଼ିଲେ ଛାତ ତଳେ ନିଜ ପିଣ୍ଢା ଉପରକୁ, ଭିତରକୁ ହାଙ୍କିଲେ ଅଭୟବାଣୀ—‘‘କିଛି ଭୟ ନାହିଁ, କେହି ଡର ନାହିଁ ।’’

 

ପ୍ରସନ୍ନବାବୁ ପୁଲିସ୍‌କୁ ଖବର ପଠାଇଲେ । ସମ୍ବାଦ ପ୍ରଚାର ହେଲା ପୁଲିସ୍‌କୁ ଖବର ଯାଇଛି । ପୁଲିସ୍‌ ଦୁଷ୍ଟରେ ଯମ, ଗୋଟାଏ ଦମ୍ଭପଣର ଆଶ୍ୱାସ ଆଣେ; କିନ୍ତୁ ଟେକାବୃଷ୍ଟି ବନ୍ଦ ହେଲାନାହିଁ । ଏଘରୁ ସେଘର, ସେଘରୁ ଏଘର ରହି ରହିକା ଚାଲିଛି । ଅନୁସନ୍ଧାନ ଛଳରେ ଏକାଠି ବାହାରିପଡ଼ିଲା ପାଞ୍ଚଟି ଟର୍ଚ୍ଚ ଲାଇଟ୍‌ । ଜହ୍ନରାତିକୁ ଚିରିବାକୁ ପ୍ରୟାସ କରି ଆପଣା ଆପଣା ଭିତରେ କଟାକଟି କରି ଚରିବୁଲିଲା ତା’ର ଆଲୁଅର ଝାଡ଼ୁ । କିଏ ଟେକା ପକୋଉଛି ? କାହିଁ କିଏ-? ଆଲୁଅ ଭରା ହେଉଛି ଖାଲି ଛାତ ଉପରେ । କିଏ କେଉଁଠି ନାହିଁ । ଝରକା ବନ୍ଦ, କବାଟ ବନ୍ଦ । ଦୋତାଲାର ଗୋଟି ଗୋଟିକିଆ ଘର କେତୋଟି—କେହି ନାହିଁ ସେଠି । ଉପରେ ହସ ହସ ଜହ୍ନଟି, ଶାନ୍ତ ଆକାଶ, ତଳେ ନିତିଘସରା ମଣିଷବସା । ଶାନ୍ତ ସବୁ, ଅଥଚ ଟେକା ପଡ଼ୁଛି ।

 

‘‘ପଡ଼ୁ ଟେକା !’’ ଡାକ୍ତରବାବୁ କହିଲେ, ‘‘ମଣିଷର ହାତର ମାଂସପେଶୀର ଶକ୍ତି ଅସୀମ ନୁହେଁ । ବଳେ ସେ ଘୋଳି ହୋଇପଡ଼ିବ ।’’ କିନ୍ତୁ ଘରକୁ ଯାଇ ଭାବନାରେ ବୁଡ଼ିଲେ । ଆଜିର ଏ ଟେକାପଡ଼ା ଯେପରିକି ତାଙ୍କ ମନରେ କେତେ ଶୋଇଲା ପ୍ରବଣତା ଢିଲି ଦେଇଛି । ଅନହୁତି ଚିନ୍ତା ଚାଲିଛି ପଛକୁ ପଛ, ଯେତେବେଳେ ବୟସର ବୋଝ ନ ଥିଲା, ସଂସାରର ଦାୟିତ୍ୱର ଜଞ୍ଜାଳ ନ ଥିଲା, ହୁଙ୍କାପିଟା ମଣିଷକରଣାର ଢିଙ୍କି ପାହାରରେ ଯୌବନ ଚୂର୍ଣ୍ଣ ହୋଇନଥିଲା । ‘‘ପଡ଼ୁ ଟେକା, ପଡ଼ୁ ମନଇଚ୍ଛା, କେହି ଖଣ୍ଡିଆ ହେଲେ ଆୟୋଡ଼ିନ୍‌ ଅଛି ।’’ ମନେପଡ଼ୁଛି, କ’ଣ ଥିଲା ଜୀବନ, ଟୋକା ଜୀବନ, ସେଥିରେ ଉଚ୍ଛ୍ୱାସ ଥିଲା, ଚମକ ଥିଲା, ଅକାମ ପାଇଁ ଝୁଙ୍କ ଥିଲା, ଆନନ୍ଦ ମିଳୁଥିଲା । କେତେଥର କେତେ ଖେଳ ।

 

ନା, ରାଗ ଆସୁନାହିଁ ତ,ଆପଣାର ସେ ଦିନଗୁଡ଼ାକ ଜହ୍ନ ଆଲୁଅରେ ଯେପରିକି ଚେଇଁଉଠୁଛି । ପକ୍ଷୀଲଗା ପର ପରି ଫଡ଼ଫଡ଼ ହୋଇଉଠୁଛି କେତେ ସ୍ମୃତି, ହସି ହସି ଉଡ଼ିଯାଉଛି । ପାଖକୁ ଆସୁଛି ଉଡ଼ିଯାଉଛି ।

 

ଜୀବନର ସାନ ସାନ କଥା । କେଉଁଠି ତା’ର ହିସାବ ଲେଖା ନାହିଁ, ତା’ର ରିପୋର୍ଟ ରହିନାହିଁ କୌଣସି ଫାଇଲରେ । ଆଉ କେହି ତାକୁ ଦେଖିନାହିଁ । ନିଜ ଆଗେ ନିଜ ତୁଣ୍ଡରେ ଧରି ହୁଏ ନାହିଁ ।

 

ଭୁଲ୍ କଥା, ବାଜେ କଥା, ସମସ୍ତିଙ୍କର କେତେ ଥାଏ ସେପରି ନିଭୃତରେ, ମଡ଼ାବାଟର ନୁହେଁ, ଅମଡ଼ା କାହାଣୀ ।

 

ଟେକାପଡ଼ା ତାକୁ ଢିଲି ଦେଇଛି । ସେଥିରେ ଟେକା ପକେଇବାର କୌଣସି ସମ୍ବନ୍ଧ ନାହିଁ, କେବେ ନଥିଲା, କିନ୍ତୁ ଏ ଯେପରି କି ସେହି ଚପଳତାର ପ୍ରତୀକ, ନିରୁଦ୍ଦେଶ୍ୟ ଯୌବନର କ୍ରିୟାର ସ୍ମାରକ । ମନରେ ଆଣେ ରୋମାନ୍‌ସର ବାତାବରଣ ଏବଂ ନିତିଦିନର ଅଭ୍ୟସ୍ତ ଜୀବନକୁ ଭିଣିଭିଣା କରି ସୃଷ୍ଟି କରିଛି ଜୀବନର ନୂଆ ମୂଲ ଡଉଲ, ଅକାମର ମୂଲ ଅଛି, କାମର ନାହିଁ ।

 

କିଶୋରବାବୁ ଚମକି ଉଠିଛନ୍ତି । ମନରେ ଖେଳୁଛି କବିତା, ରକ୍ତରେ ଉଲ୍ଲାସ । ଜହ୍ନରାତି କାଳି ଅନ୍ଧାରରେ ଛାଇ ଯାଇଛି । ଶୋଇଲା କଳାଘୁମର ଯମୁନା ନଈକୂଳରେ ଚୁପ୍‌ଚାପ୍‌ ଠିଆହୋଇଛି ଆଗ୍ରାର କିଲ୍ଲା । ସେଠି ଅଛି ଜଣେ, ଏମିତି ଛନ ଛନ ରାତିରେ ସେ ଠିଆହୋଇ ଦୂରକୁ ଚାହିଁଥିବ । ‘‘ଯୁବଶକ୍ତି, ଯୁବଶକ୍ତି, କେତେକାଳ ବାର୍ଦ୍ଧକ୍ୟର ହିସାବ କସା ଲାଗିଥିବ—ଲାଗିଥିବ ପିଲାଳିଆ ପଣିକିଆ ତିନି ଦୁଣେ ଛ, ଚାରି ଦୁଣେ ଆଠ ?’’ ପଛଆଡ଼ର ତୋଟାରୁ ମଲାଭୂତ ହେଲା ଇତିହାସର ଓସ୍ତାଦ୍‌ମାନଙ୍କ ଏସ୍‌ରାଜର ଝୁଣୁ ଝୁଣୁ ।

 

ଟେକା ପଡ଼ୁଛି । ଛାଡ଼ିଯାଉଛି ପନ୍ଦର କୋଡ଼ିଏ ମିନିଟ୍‌, ପୁଣି ପଡ଼ୁଛି । ସୁଧାଂଶୁବାବୁ ଡିଟେକ୍‌ଟିଭ୍‌ ଗଳ୍ପ ପଢ଼ିଛନ୍ତି ପ୍ରଚୁର । ଆରାମ ଚୌକିରେ ଶୋଇରହି ଅତି ଦ୍ରୁତ ଭାବି ଯାଉଛନ୍ତି କିଏ ପକାଉଛି ଟେକା, କାହିଁକି ପକାଉଛି, କେଉଁଠି ପକାଉଛି । ନାନା ପ୍ରକାର ଥିଓରି ଗଢ଼ୁଛନ୍ତି । ଡିଟେକ୍‌ଟିଭ୍‌ ସେ—କେଉଁ କଣରୁ ଧରନ୍ତା କଥାଟା, କିପରି ଅଗ୍ରସର ହୁଅନ୍ତା । ବାରମ୍ବାର ଖାଲି ମନେପଡ଼ୁଛି ବହିରେ ପଢ଼ା ଡିଟେକ୍‌ଟିଭ୍‌ମାନଙ୍କ ବେଶଭୂଷା; କିଏ ଖୁବ୍‌ ବଳୁଆ ଧାଇଁଯାଇ ଧରିପକାଏ, କିଏ ଅତି ନଗଣ୍ୟ ଦିଶେ କିନ୍ତୁ ତର୍କବଳରେ ପହଞ୍ଚେ ଠିକ୍‌ ଘଟନା ପାଖେ । ଜାତିଜାତିକା ସେମାନେ । କିନ୍ତୁ କାହିଁ—ସେମାନେ ଧରନ୍ତି ଖୁଣୀ, ଡକାଏତ, ମଣିଷଧରା । କିନ୍ତୁ ଟେକାପଡ଼ିବ ! କାହିଁ ସେକଥା ତ ସେମାନେ କେବେ ଅନୁସନନ୍ଧାନ କରିବାର ବହିରେ ଲେଖାନାହିଁ-? ଟେକା ପକେଇବା—କାନ୍ଥରେ କ’ଣ ଲେଖିଦେବା—ତିଳ ପଡ଼ିବନାହିଁ; ସନ୍ଧାସନ୍ଧି ସଭା ଘର ଭିତରେ ଅଲକ୍ଷ୍ୟରୁ କାହାର ବିଚିତ୍ର ଶବ୍ଦ—

 

ଡିଟେକ୍‌ଟିଭ୍‌ର କାରସାଦିର ବାହାରେ ଏସବୁ । ତଥାପି ଏଠି ବସି ଆବିଷ୍କାର କରିବାକୁ ହେବ ତ ।

 

ସୁଧାଂଶୁବାବୁ କାର୍ଯ୍ୟବ୍ୟସ୍ତ ।

 

ଶରତ୍‌ବାବୁ ପରିଣାମବାଦୀ । ବିଚାରକର ବିଶ୍ଳେଷଣୀ ଦୃଷ୍ଟିରେ ସେ ଭାବି ବସୁଛନ୍ତି କାହିଁକି ପଡ଼ୁଛି ଟେକା । ଆଜି ଆଉ ନିଦ ଝାଙ୍କୁନାହିଁ, ଟେକା ତାକୁ ଦୂରରେ ରଖିଛି, ଆଶଙ୍କାର ପୃଷ୍ଠଭୂମି ସେକରେ ମନ ଭାଙ୍ଗୁଛି ସରଳ ସାଧନ, କାହିଁକି—କାହିଁକି—କାହିଁକି । ସେ ବସୁଧା—ବନ୍ଧୁ-। ସେପରି ଲୋକ ଯେ ଦୁନିଆଁର ଯୁଦ୍ଧସଂଘର୍ଷଠୁ ପଳାଇ ଆସି ଘରେ ବସି ଭାବିପାରେ, ‘‘ବାସ୍ତବିକ, ଲୋକଗୁଡ଼ାକ କି ଦୁଷ୍ଟ !’’ ଯେ ଅସନା ଦେଖିଲେ ନାକରେ ରୁମାଲ ଦେଇ ଥିରିହୋଇ ଚାଲିଯାଇ ନିଜର ଆପତ୍ତି ଜଣାଏଁ, ଯେ ଟାଣକଥା ଶୁଣିଲେ ନଦେଖିଲା ପରି ନ ଶୁଣିଲାପରି ଦୂରକୁ ଚାହେଁ । ଏପରି ଲୋକର ଶତ୍ରୁ ହୁଅନ୍ତି ନାହିଁ, ହେଲେ ନିଜେ ବାଳ ଛିଣ୍ଡେଇ ରନ୍ଥାଳି ହୋଇ ମରନ୍ତି । ପୁଣି ବାଟରେ ଦେଖାହେଲେ ଶରତ୍‌ବାବୁଙ୍କ ଶୁଭ୍ର ହସ ଓ ସାଧାରଣ ସମ୍ଭାଷଣ—‘‘କ’ଣ, କେମିତି ଅଛନ୍ତି ? ସବୁ ଭଲ ତ ?’’ ଏବଂ ବାଧ୍ୟହୋଇ ଶତ୍ରୁର ଉତ୍ତର—‘‘ଆଜ୍ଞା ହଁ, ସେମିତି ଚାଲିଛି ।’’

 

ଅଥଚ ଟେକା ପଡ଼ୁଛି । କାହିଁକି ?

 

ତେବେ କ’ଣ ବଳରାମବାବୁ ବା ତାଙ୍କରି କେହି ? ହଁ, ବଳରାମବାବୁ ତିନିଥର ରାଗିଲେଣି । ଗୋଟାଏ ନିଷ୍ପତ୍ତି ଦେଲେ ଗୋଟାଏ ପକ୍ଷ ଜିତିବ, ଆରପକ୍ଷ ହାରିବ । ଦୁଇପକ୍ଷ ସମାନଭାବେ ଜିତିଲା ପରି ନିଷ୍ପତ୍ତି ଗୋଟାଏ ପୃଥିବୀରେ ଅସମ୍ଭବ ।

 

ତେଣୁ ବାଟ ଚାଲିଲେ ମଣିଷ ଶତ୍ରୁ ଅରଜେ, କଥା କହିଲେ ବନ୍ଧୁତା ହରାଏ ।

 

ଦର୍ଶନଶାସ୍ତ୍ରର ଦୁର୍ବିଣ୍‍ଯନ୍ତ୍ରରେ ଆଖି ଯୋଖିଦେଇ ଶରତ୍‌ବାବୁ ଦେଖୁଛନ୍ତି ଦୂରର ଶତ୍ରୁର ମୁହଁ—କାଳ୍ପନିକ ଶତ୍ରୁ ବଳରାମବାବୁ ।

 

ତେବେ ବଳରାମବାବୁ ଭଦ୍ରଲୋକ, ପ୍ୟାଣ୍ଟ କୋଟ୍‌ ପିନ୍ଧନ୍ତି, ସିଗାରେଟ୍‌ ଖାଆନ୍ତି, ଇଂରେଜୀ କହନ୍ତି, ସାଇକେଲ ଚଢ଼ନ୍ତି । ଏହିପରି ରୂପ ଗୋଟିଏ କେଉଁଠି ଲୁଚି ରହି ଭଦ୍ରଲୋକଙ୍କ ଘରକୁ ଢେଲା ଉପରେ ଢେଲା ଫୋପାଡ଼ିବା ଛବି ଟିକିଏ କାଳ୍ପନିକ ଦିଶେ । ତଥାପି ଖାଲି ଚିନ୍ତା କଲେ ଚଳିବ ନାହିଁ । କେଉଁଠି ହେଲେ କୂଳ ଧରିବାକୁ ହେବ । ଆପଣାକୁ ବିଶ୍ୱାସ କରେଇବାକୁ ହେବ ଏ ବଳରାମବାବୁଙ୍କ କାରସାଦି ।

 

ଘରଭିତରକୁ ଗଲେଣି, ଆରାମ୍‌ ଚୌକିରେ ଶୋଇ ରହିଛନ୍ତି । ଭାରି ଶୋଷ କରୁଛି । ପୂଜାରୀକୁ ପାଣି ଆଣିବାକୁ ଡାକିଲାବେଳକୁ ମନ ଅଜାଣତରେ ତୁଣ୍ଡରୁ ଖସିପଡ଼ୁଛି—‘‘ହେ ବଳରାମ—ଆରେ ହଁ, ଏ ପୂଜାରୀ ପାଣି ଆଣ୍‌ ।’’

 

ଛଅ

 

ପୁଣି ଆରଦିନ ସନ୍ଧ୍ୟାରେ—ପଡ଼ିଲା ଟେକା ।

 

ଆପଣା ଆପଣା ଘରୁ ଟେକାତକ ସାଉଁଟି ଲୋକେ ପରସ୍ପରକୁ ଦେଖାଦେଖି କରୁଛନ୍ତି । ରାତି ନଟା, ହେଲ୍‌ଥ୍ ଇନ୍‌ସପେକ୍ଟରବାବୁ ଢେଲା ଅଧ ଟୋକେଇଏ ପଦାକୁ ଆଣି ପଶୁଡାକ୍ତରବାବୁଙ୍କୁ, ପ୍ରସନ୍ନବାବୁଙ୍କୁ ମହା ଉଲ୍ଲାସରେ ଦେଖାଉଛନ୍ତି ।

 

‘‘ହେଇ ଦେଖନ୍ତୁ ଆଜ୍ଞା, କେତେ ଟେକା । ଏଇ ଗୋଜିଆଟା ଯାହାକୁ ଦେଖୁଛନ୍ତି, ସାଇଁ କିନା ପଡ଼ିଲା ମୋର କାନବାଟେ, ସୂତାଖିଏ ଏପାଖ ସେପାଖ ହୋଇଥିଲେ କ’ଣ ହୋଇଥାନ୍ତା ଆଜ୍ଞା !’’

 

ପଶୁଡାକ୍ତର ଧରିଛନ୍ତି ବଡ଼ ଏକ ମାଟିଟେକା ।

 

‘‘ଆପଣ କ’ଣ କହୁଛନ୍ତି ? ହେଇ ଦେଖିଲେ ଏଇଟା, ମୁଁ ଦୁଆରୁ ପିଣ୍ଢାକୁ ଉଠିଛି ତ ଏଇଟା ଚାଳରୁ ଖସିଛି । ମୁଣ୍ଡ ଉପରେ ପଡ଼ିଥିଲେ ମୁଣ୍ଡଟା କ’ଣ ହେଇଥାନ୍ତା କହିଲେ ?’’

 

ବିପଦ—ବିପଦରୁ ଉଦ୍ଧାର ।

 

ମନଭିତରେ ଅକାରଣ ବୀରତ୍ୱ, ସତେକି ନିଜ ଚେଷ୍ଟାରେ ଉଦ୍ଧାର ମିଳିଛି । ପଦେ ପଦେ କଥାଭାଷା ହାବଭାବରେ ପ୍ରକଟି ଉଠୁଛି ବଞ୍ଚିରହିବାର ତୀବ୍ର ଆନନ୍ଦ । ସୁସ୍ଥି ଜୀବନ ପାଇଁ ଉଗ୍ର ଆକଙ୍‌କ୍ଷା । ଆଜି ଜୀବନ ପଡ଼ିଛି ଟେକାମାଡ଼ର ପରୀକ୍ଷାରେ । ଆପଣା ଆପେ ଆପେ ନାନାଜାତିର ଭୟଙ୍କର ଚିତ୍ର ଆଖି ଆଗେ ଆଗେ ଭାସିଯାଉଛି, ସତେଅବା ଡଙ୍ଗା ପଡ଼ିଛି ମହାନଦୀର ରାମେଶ୍ୱର ଦଲଦଲାରେ । ଖାଲି ପରୀକ୍ଷା ପରୀକ୍ଷା ପରୀକ୍ଷା । ଏବଂ ପ୍ରତି ଆର ମୁହୂର୍ତ୍ତରେ ପରୀକ୍ଷାରେ ପାସ୍‍ କରିବାର ଆନନ୍ଦ । ତଥାପି ପୁଣି ବେଳେ ବେଳେ ଟେକାପଡ଼ୁଛି । ନର୍ସର ଭାଇ ବାଡ଼ି ଖଣ୍ଡେ ଧରି ହାତର ମାଂସପେଶୀ ଟାଙ୍କି ଟାଙ୍କି ଟହଲୁଛି ରାସ୍ତାରେ । ଶରତବାବୁ ପିଣ୍ଢାରୁ ନଇଁପଡ଼ି ଦୂରକୁ ଅନେଇଛନ୍ତି । ପ୍ରସନ୍ନବାବୁ ଆଜି ପୁଣି ପୁଲିସ୍‌ ଡାକି ଯାଇଥିଲେ । କ’ଣ ହେଲା ଜାଣିବାକୁ ଇଚ୍ଛା ହେଉଛି ।

 

ଆଜି ରାସ୍ତାରେ ଗହଳି ନାହିଁ, ଘରେ ଘରେ ସମସ୍ତେ । ପ୍ରସନ୍ନବାବୁ ଫେରୁଛନ୍ତି । ଶରତବାବୁ ଏଣିକି ତେଣିକି ଚାହିଁ ଅତି ଧୀରେ ଧୀରେ ରାସ୍ତାକୁ ଓହ୍ଲେଇଲେ ।

 

‘‘କ’ଣ ହେଲା ?’’

 

‘‘ସେ କହିଲେ, ଚେଷ୍ଟା ତ ଚାଲିଛି, କେହି ଧରାପଡ଼ୁନାହିଁ ।’’

 

‘‘ହୁଁ ।’’

 

ଥିଓରି ନାନାପ୍ରକାରର, ପାଞ୍ଚ ସାତ ଏକାଠି ହେଲେ ଉର୍ବର ମସ୍ତିଷ୍କରୁ ସେ ବାହାରେ । ଯେତେ ଗପିଲେ ସେତେ ତଥ୍ୟ, କାହାର କାହାସହିତ ମତ ମିଳେ ନାହିଁ ।

 

ସୁଧାଂଶୁବାବୁ ଦିନବେଳେ ଟେକାଗୁଡ଼ିକର ଉପାଦାନ ପରଖି ଦେଇଛନ୍ତି, ‘‘ଜଣାପଡ଼ୁଛି, ବିଲର ଟେକା । ଯେ ପକାଉଛି ସେ ବିଲ ସଙ୍ଗେ ଅତ୍ୟନ୍ତ ସୁପରିଚିତ । ଏଥିରୁ ଜଣାପଡ଼ିପାରେ ତା’ର ଚରିତ୍ର ।’’

 

‘‘ବିଲ ସଙ୍ଗେ ସୁପରିଚିତ; ଅତଏବ, ଅତଏବ, କ’ଣ ସେ ହୋଇଥିବ ?’’

 

‘‘ଚଷା ।’’ ପଶୁଡାକ୍ତରବାବୁ ଆଗ୍ରହରେ କହିଲେ ।

 

‘‘ତେବେ ବର୍ତ୍ତମାନ ଭାବିବାକୁ ପଡ଼ିବ କେଉଁ ଚଷାର ଆମମାନଙ୍କ ଉପରେ ରାଗିବାର କାରଣ ଥାଇପାରେ । ହେଲ୍‍ଥ୍‌ ଇନ୍‌ସପେକ୍ଟରବାବୁ କାହାକୁ ଟୀକା ଦେବାକୁ ଜବରଦସ୍ତି କରିଥିବେ-। ଡାକ୍ତରବାବୁ କେଉଁ ଚଷାକୁ କାଳେ ଭିଜିଟ୍‌ ମାଗିଥିବେ । ତା’ହେଲେ ସେ ଖାଲି ଚଷା ହୋଇନଥିବ, ବଡ଼ ଚଷା––କିମ୍ବା ପରିବାବିକା ଚଷା ସଙ୍ଗେ ଭେଣ୍ଡି ବାଇଗଣ ଆଦି ଘେନି କେଉଁ ଚାକର ପୂଜାରୀ ଧିକିସିକି ଲଗେଇଥିବେ, ତା’ହେଲେ ସେ ଗରିବଚଷା । ଡକାଯାଉ ସବୁ ଚାକର ପୂଜାରୀଙ୍କି । ପଚାରି ବୁଝିବା ମୋଟିଭ୍‌––କି ମତ୍‌ଲବ୍‌ ଥାଇପାରେ––ମନେରଖନ୍ତୁ, ମୋଟିଭ୍‌ ପାଇଗଲେ ଆପଣ ସବୁ ପାଇଲେ ।’’

 

ଶରତ୍‌ବାବୁ ଆଶାୟୀ ଦୃଷ୍ଟିରେ ଅନାଇଁଛନ୍ତି । ଏଇ ସୁଧାଂଶୁ, ବେଳେ ବେଳେ ସେ କାବା କରିଦିଏ, ହୁଏତ ସେ ଠିକ୍‌ କହୁଛି, କିଏ ଜାଣେ । ‘‘ହୁଁ, କହିଯାଅ ସୁଧାଂଶୁ ।’’

 

‘‘ତା’ପରେ ସେ ବଳୁଆ ଲୋକ ନିଶ୍ଚୟ । ନା, ଆମେ ଏମିତି ସିଦ୍ଧାନ୍ତକୁ ଡେଇଁଲେ ଚଳିବ ନାହିଁ । ପ୍ରମାଣ ନ ପାଇଲେ କୌଣସି ଜିନିଷ ଧରିନେବା ଠିକ୍‌ ନୁହେଁ ।’’

 

‘‘ପ୍ରମାଣ ପ୍ରମାଣ, ଠିକ୍‌—ଠିକ୍‌ !’’ ଶରତ୍‌ବାବୁ ପ୍ରମାଣ କଥା ଭାବୁଛନ୍ତି । କିନ୍ତୁ ପ୍ରମାଣ ପୋଥି କାମରେ ଲାଗେ ଚୋର ଧରାପଡ଼ି ସାରିଲେ । ତା’ଆଗରୁ ସେ ଲାଗେ ନାହିଁ, ସେଇ ତ ଅଡ଼ୁଆ ।

 

ପଶୁଡାକ୍ତରବାବୁ ଆଗକୁ ଭରସି ଆସିଲେ । କହିଲେ—‘‘ଆଜ୍ଞା ! ଆମେରିକାରେ—ଆମେରିକାରେ ଗୋଟାଏ ଯନ୍ତ୍ର ଗଢ଼ିଛନ୍ତି, ମଣିଷର ଛାତିରେ ଲଗେଇଦେଲେ ଜଣାପଡ଼େ ସେ ଚୋର କି ନା । ସେମିତିଆ ଗୋଟାଏ ଯନ୍ତ୍ର ହେଲେ....’’

 

ସୁଧାଂଶୁବାବୁ ବ୍ୟାଖ୍ୟା କରୁଛନ୍ତି—‘‘ମୁଁ କହିବି ନାହିଁ, ସେ ଲୋକ ପହିଲମାନ୍ ବୋଲି, କିନ୍ତୁ ତା’ର ସାଧାରଣ ସ୍ୱାସ୍ଥ୍ୟ ଅଛି, ନା କଣ୍‌ ଡାକ୍ତରବାବୁ ! ନହେଲେ ଏତେ ଦୂରରୁ ଏଡ଼େ ଏଡ଼େ ଟେକା ସେ ପକାନ୍ତା କିପରି ? ଅତଏବ ସେ ଚଷା ଏବଂ ତା’ର ସାଧାରଣ ସ୍ୱାସ୍ଥ୍ୟ ଅଛି । ତା’ସହିତ ଏ ଗଳି ସଙ୍ଗେ ଅଛି ଗୋଟାଏ କଜିଆ, ଟୀକାନେବା ବା ପରିବାର ଦାମ ଝିକିସିକି ବା ଡାକ୍ତର ଭିଜିଟ୍‌ ବା ଏହିପରି କିଛି କାରଣରୁ । ଅତଏବ ଏପରି ଲୋକଟିଏ ଖୋଜାଯାଉ, ତା’ପରେ, ତେଣିକି ତ ସହଜ ଭାରି ।’’

 

ପଶୁଡାକ୍ତରବାବୁ ବିଦେଶର ସ୍ୱପ୍ନ ଦେଖୁଛନ୍ତି । କହିଲେ, ‘‘ଜର୍ମାନୀରେ ।’’

 

କିଶୋରବାବୁ ସିଗାରେଟ୍‌ ଓ ଦିଆସିଲି ବାହାର କଲେ, ଜର୍ମାନୀ ପରେ ଅନ୍ୟକଥା ନ ପକାଉଣୁ ପଶୁଡାକ୍ତରବାବୁ ମୁହଁ ବଢ଼େଇ ଚଁ ଚଁ କରି ଶୋଷିଲେ ଧୂଆଁ । ତା’ପରେ ସେ ଘନ ଘନ କାଶିବାକୁ ଲାଗିଲେ, ସାଢ଼େ ତିରିଶି ଇଞ୍ଚ ଛାତି ଭିତରେ ଲାଗିରହିଲା ତୋଫାନ । ଅଛିଣ୍ଡା କଥା ନଟରା କାଶରେ ନିଭି ନଯାଉଣୁ ତିନିଥର ସେ ଗମ୍ଭୀର ହୋଇ କଥା କହିବାକୁ ଚେଷ୍ଟା କରିଥିଲେ ।

 

‘‘ଜର୍ମାନୀରେ ।’’

 

କିନ୍ତୁ ସଭା ଭଙ୍ଗ ହେଉଛି । ପ୍ରସନ୍ନବାବୁ ପ୍ରାନ୍ତଭାଷଣ ଦେଉଛନ୍ତି, ‘‘ମାଟିଚେକା ଫୋପାଡ଼ିବାକୁ ବିଲ ସହିତ ସମ୍ପର୍କ ରଖିବା ଖାଲି ଚଷାର କାମ ହେବ କାହିଁକି ? ଯଦି ହୁଏ, ତେବେ ଆପଣମାନେ ଖୋଜନ୍ତୁ ଜଣେ ଚଷା, ତା’ର ସାଧାରଣ ସ୍ୱାସ୍ଥ୍ୟ, ନା କ’ଣ ? କିନ୍ତୁ ବିଲ ସହିତ ଯେଉଁମାନେ ସମ୍ପର୍କ ରଖନ୍ତି, ଆପଣ ଯଦି ଜାଣିବାକୁ ଚାହାନ୍ତି ତେବେ ସଞ୍ଜ ପାଖାପାଖି ନିଘା ରଖନ୍ତୁ ଦେଖିବେ ଲୋଟାଟାଏ ଧରି କେତେଲୋକ ବିଲଆଡ଼େ ଯାଆନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ବି କିଛି ବିଗିଡ଼ା ନୁହେଁ ।’’

 

ସୁଧାଂଶୁବାବୁ ଶରତବାବୁ ଗମ୍ଭୀର ହୋଇ ପ୍ରସନ୍ନବାବୁଙ୍କ ଆଡ଼କୁ ଅନାଇଁ ରହିଲେ । ଆଚ୍ଛା ଲୋକ, ସବୁ ଭୁଶୁଡ଼େଇଦେବା ୟାଙ୍କର ସ୍ୱଭାବ ନା ?

 

‘‘ଶୁଣ ସୁଧାଂଶୁ !’’

 

‘‘କ’ଣ ?’’

 

‘‘ଆରେ, ଏଡ଼େ ପାଟି କର ନାହିଁ, ଧୀରେ ଧୀରେ ।’’

 

‘‘କ’ଣ, କହୁନାହାନ୍ତି, କେହି ତ ନାଇଁ ।’’

 

‘‘ନା, ତୁମେ ସବୁ ବିଗାଡ଼ିବ । କାନଟା ଆଣ, ମୁଁ କହୁଚି କାନଟା ଆଣ ।’’

 

‘‘ଆଚ୍ଛା ?’’

 

‘‘ଗୋଟାଏ କଥା ଅନୁମାନ କରିପାରୁଛ ? ପ୍ରସନ୍ନାବାବୁଙ୍କ ଘରେ ଟେକା ଖୁବ୍‌ କମ୍‌ ପଡ଼େ । ଯାହା ପଡ଼େ ତା’ ବି ବାହାରେ ବାହାରେ–’’

 

‘‘ଓ !’’

 

‘‘ଧରିନେବାକୁ ପଡ଼ିବ ତାଙ୍କ ଘରେ ଟେକା ପଡ଼େନାଇଁ ବୋଲି ।’’

 

‘‘ଆପଣ କୁଆଡ଼କୁ ଅଡ଼ୋଇଛନ୍ତି, ମାନେ––’’

 

‘‘ଠିକ୍‌ !’’

 

‘‘ଭୁଃ !’’

 

‘‘ମନେରଖିଲ ? ଏଥର ଯାଇ ଭାବ, ରାତିରେ ଶୋଇଲାବେଳେ । ଏଇ ଆଲୁଅରେ ସବୁକଥା ଆଉଥରେ ଦେଖ, କାଲି ସକାଳେ କହିବ ।’’

 

ତେଣୁ ଶୁଭୁଛି, ଜଣେ ଆସୁଛନ୍ତି, ପାଦରେ କାବୁଲି ଚଟି, ଦେହରେ ଜାଲିଗେଞ୍ଜି, ତୁଣ୍ଡରେ ଗୋଟିଏ ଗୀତର ଖଣ୍ଡେ ଚୋବାଇଲା ପରି, ‘‘ଶାଶ୍‌ ନନଦ ମେରୀ ଜାଗେରେ ପିଆ––’’ କୈଳାସ୍‌ବାବୁ ।

 

ମ୍ୟାଟ୍ରିକ୍ୟୁଲେସନ୍ ଶେଷ ବର୍ଷର ଛାତ୍ର, ମେସରେ ଥାଆନ୍ତି ।

 

‘‘ଆଜ୍ଞା ଆଶ୍ଚର୍ଯ୍ୟ ହେବେ ଶୁଣି । ଆମ ଘରେ ଆଦୌ ଟେକା ପଡ଼େ ନାହିଁ ।’’

 

‘‘ବଡ଼ ଆଶ୍ଚର୍ଯ୍ୟ କଥାତ’ ! ଆଚ୍ଛା କୈଳାସ୍‌ବାବୁ, ଆପଣଙ୍କ ଘର କେଉଁଠି ?’’

 

‘‘ପରା ଧ୍ରୁବ ଦାସଙ୍କ ଶଳାଙ୍କ ନାତି, ଜାଣି ନାହାନ୍ତି ?’’

 

––‘‘ଧ୍ରୁବ ଦାସ ବାବୁ ବଡ଼ ମଣିଷ, ତାଙ୍କ ଦେହରେ ଟେକା ବାଜେ ନାହିଁ, ଆଚ୍ଛା ଟେକାପକା ଲୋକ ଆପଣଙ୍କ ବନ୍ଧୁ କେହି ନୁହେଁ ତ ?’’

 

କୈଳାସ୍‌ବାବୁ ଉତ୍ତର ଦେବାକୁ ବାଧ୍ୟ ନୁହନ୍ତି । ଆଗକୁ ମୋହିଁଲେଣି, ଶୁଭୁଛି—‘‘ତନ ନନ ନନ ମେରୀ ବାଜେରେ ପିଆ, ସାଓଁରିଆ—’’

 

ସାତ

 

ମାନ୍ଦା ଗଳିରେ ପଡ଼ିଛି ଜୀବନର ସୁଅ, ବଡ଼ ଘଟନା ଘଟିଛି ।

 

ସୁନା କାଠି ଛୋଇଁ କିଏ କାଠ ପଥରକୁ ମଣିଷ କରିଛି; ଦେଇଛି ଜୀବନ୍ୟାସ, ମଣିଷ ହାତଗୋଡ଼ ଛାଟୁଛି, ଚାଲୁଛି, ବୁଲୁଛି, ଭାବୁଛି, ଦେଖୁଛି । ଏକାଥରକେ ଫିଟିଯାଇଛି ସବୁ ଇନ୍ଦ୍ରିୟର ତାଲା ।

 

ଏ ଗଳିର ମଣିଷ—ବନ୍ଧାଗତରେ ଗଡ଼ି ଗଡ଼ିକା ସେ ଥିଲା ଖାଲି ଅଭ୍ୟାସର ଦାସ, ଘରେ ବାହାରେ, ଖାଲି ଯନ୍ତ୍ରକାମ, ନିତାନ୍ତ ଯଦି ଜହ୍ନରାତିର ଚାବୁକ ଖାଇ ସେ ଚେଇଁ ଉଠୁଥିଲା, ସେ ଖାଲି ଆପଣାର କ୍ଷତ ପରଖୁଥିଲା, ଦର୍ପଣରେ ନିଜ ମୁହଁ ଦେଖୁଥିଲା, ସେତିକି ମାତ୍ର । ଖାଦ୍ୟ ଗିଳିବା ବସ୍ତୁ, ଜୀବନର ମାପ ଘଣ୍ଟାରେ, ଘଣ୍ଟାର ଡାକ କାରଖାନାର ଭୋଁ ବାଜିଲା ପରି ।

 

ଆଉ ଆଜି—ସେ ଭିନେ ।

 

ଟାଇପ୍‌ରାଇଟର ଛାଡ଼ି ଇନ୍‌ସପେକ୍ଟରବାବୁ ପଦାକୁ ଚାହୁଁଛନ୍ତି । ହଠାତ୍‌ ଖିଆଲ୍‌ ଆସୁଛି––ଆଜି କି ତିଥି ହେଲା ? ଜହ୍ନ ଆଜି ସାତ ଘଡ଼ି ନା ? ମନେପଡ଼ୁଛି, ଜହ୍ନରାତିରେ ନଈ ବାଲିରେ ପିଲାଦିନର ଡୁ ଡୁ ଖେଳ; ଡୁ ଡୁ ଖେଳସଙ୍ଗେ ମନେପଡ଼େ ପିଲାଦିନର ସାଙ୍ଗ ରଙ୍ଗିଆ କେଡ଼େ ହେରେମା ଥିଲା । ଗାଁର ମାଟି ତାକୁ ଉପରକୁ ଉଠିବାକୁ ସୁବିଧା ଦେଇନାହିଁ, ବାଲିପଠା ତାକୁ ଆଦରି ନେଇଛି । ରଙ୍ଗିଆ ମରିବାର ହେଲାଣି ତିନିବର୍ଷ । ରଙ୍ଗିଆ––ତା’ର ବିଧବା––ତା’ର ଭଙ୍ଗାଘର....

 

ଦୀର୍ଘଶ୍ୱାସ, ଦୀର୍ଘଶ୍ୱାସ ।

 

ଦେଢ଼ବର୍ଷ ହେଲା ଦିନେ ତ ରଙ୍ଗିଆର କଥା ପଡ଼ିନଥିଲା, ଆଜି କାହିଁକି ? ଇନ୍‌ସପେକ୍ଟର ବାବୁ ନିଜକୁ ପଚାରି ବୁଝିପାରୁନାହାନ୍ତି ଆଜି କାହିଁକି ରଙ୍ଗିଆ ମନେପଡ଼ୁଛି । ବୁଝିପାରୁନାହାନ୍ତି, ରାତିଆ ଟେକାମାଡ଼ରେ କଳର ହୋଇଛି ନୂଆ କଳେବର । ପ୍ରସନ୍ନବାବୁ ପ୍ରାଣବନ୍ତ, କାମରେ ଖୁବ୍‌ କ୍ଷିପ୍ର ଓ ତରତର । ଘରେ ପିଲାଙ୍କୁ ଗେଲ କରୁଛନ୍ତି । ପଦାରେ, ମଟର ଷ୍ଟେସନରେ, ରାସ୍ତାରେ, କାର୍ଯ୍ୟାଳୟରେ ଯାହା ସଙ୍ଗେ ଦେଖାହେଉଛି କହୁଛନ୍ତି, ‘‘ଶୁଣିଲେଣି କେମିତି ଟେକାପଡ଼ୁଛି ଆମ ଗଳିରେ ? କାଲି କ’ଣ ହେଲା ନା—ହଁ, ମୁଁ ଠିକ୍‌ କରିଛି, ଏଠୁ ଛାଡ଼ିଦେଇ କରିବି ଗୋଟାଏ କୁକୁଡ଼ାଫାର୍ମ । ହିସାବ କରି କ’ଣ ଦେଖିଚି ଶୁଣନ୍ତୁ—ଗୋଟାଏ ଇନ୍‌କ୍ୟୁବେଟର ଡିମ୍ବ ଉଷୁମେଇଁବାକୁ, ମୋଟେ ଦୁଇଶ ଟଙ୍କା । ଫାର୍ମରେ ଗୋଟାଏ ପୋଖରୀ ରହିବ, ତହିଁରେ ମାଛ ରହିବ । ମାଛଫାର୍ମ––ହିସାବ କରିଚି, ଛ’ମାସରେ ପାଞ୍ଚ ହଜାର ହେବ, ବର୍ଷକେ ଦଶ ହଜାର । ଦଶବର୍ଷକୁ....ହୁଁ, ହିସାବ କରନ୍ତୁ....ଦଶବର୍ଷକୁ କେତେହେଲା ?’’ ଶୂନଗୁଡ଼ାକ ଡିମ୍ବାକୃତି ଦିଶେ, ଯେପରି କି ଗୋଟିଏ ମାଈ କୁକୁଡ଼ା ପାଖକୁ ପାଖ ପାଞ୍ଚଟି ଡିମ୍ବ ଧରି ବସିଛି । ଏକ ଲକ୍ଷ ଟଙ୍କାର ଛବି, ଅତି ବାସ୍ତବ ।

 

‘‘ଏଇ ଦେଖିବେ ମୁଁ ଛାଡ଼ିଦେବି ।’’

 

ସଞ୍ଜକୁ ରାସ୍ତାଏ ରାସ୍ତାଏ ମଟର ଚଢ଼ି ଦୂର ଦୂରାନ୍ତକୁ ଖବର ପହଞ୍ଚିଛି । ପ୍ରସନ୍ନବାବୁ ଛାଡ଼ିଦେବେ, ପ୍ରସନ୍ନବାବୁ ଛାଡ଼ିଦେବେ ।

 

ଦୂରରେ, ମଫସଲର ମଟର ଛକିମାନଙ୍କଠୁଁ ଦୁଇମାଇଲ ଭିତରକୁ ବଂଶୀ ତାନ ପବନରେ ମୋଡ଼ ଭାଙ୍ଗିଲା ପରି ସମ୍ବାଦ ବଦଳି ହେଲାଣି—‘‘ପ୍ରସନ୍ନବାବୁ ଛାଡ଼ୁଛନ୍ତି’’ ପାଞ୍ଚମାଇଲ ଭିତରକୁ—‘‘ପ୍ରସନ୍ନବାବୁ ଛାଡ଼ି ସାରିଲେଣି ।’’ ଏ କହୁଚି ତାକୁ, ସେ କହୁଚି ୟାକୁ—‘‘ପ୍ରସନ୍ନବାବୁ ଛାଡ଼ିଦେଇ ଘରକୁ ଗଲେଣି, ହେଇପରା ମଙ୍ଗୁ ତାଙ୍କୁ ଗାଡ଼ିରେ ବସେଇଦେଇ ଆସିଲା ।’’

 

ଟୀକା ଟିପ୍‌ପଣୀ—

 

‘‘ଗଲେ ଭାରି ! ଆଃ, କେଡ଼େ ଭଲ ଲୋକଟେ ?’’

 

‘‘ହଃ !’’

 

‘‘ହଁ, କେତେ ଆସିବେ, କେତେ ଯିବେ, ଲାଗିଚି ସଂସାର ।’’

 

ନିଜ ସମ୍ବାଦଦାତା ଖବରକାଗଜକୁ ଚିଠି ଲେଖିଲେଣି, ‘‘ଆମ୍ଭେମାନେ ବିଶ୍ୱସ୍ତ ସୂତ୍ରରେ ଅବଗତ ହେଉଛୁଁ ଯେ ଶ୍ରୀମାନ୍‌ ପ୍ରସନ୍ନ କୁମାର ଭଟ୍ଟାଚାର୍ଯ୍ୟ––’’

 

ପ୍ରସନ୍ନବାବୁ ଧୋବା ପଞ୍ଜାବି ପିନ୍ଧିଛନ୍ତି, ଧୋବଲୁଗା, ମୁହଁ ଜିକି ଜିକି କରୁଛି, ଅବସାଦ କଟିଛି । ପଶୁଡାକ୍ତରବାବୁ କାନ୍ଧକୁ ଟାକି ଲମ୍ବା ଲମ୍ବା ପାହୁଲ ପକେଇ ଘରଯାକ ଟହଲୁଛନ୍ତି, ସାହିତ୍ୟ ଛାଡ଼ି ଆଜି ସେ ହୋଇଛନ୍ତି ମିଲିଟେରୀ । ଜୀବନକୁ ଅନୁଭବ କରୁଛନ୍ତି । ଆଜି ସେ ବଞ୍ଚିଛନ୍ତି ।

 

ଟ୍ୟାଙ୍କଧରି ଭାରତୀୟ ସୈନ୍ୟ ଚାଲିଛନ୍ତି କାଶ୍ମୀର ପଥେ । ଆଜିକା ଖବରକାଗଜର ଛବି । ତହିଁରୁ ସେ ଜଣେ ।

 

ପେଟଖଙ୍କା କରି ବେକ ସିଧାକଲେ ଏକପ୍ରକାର ଠାଣି ଆସେ, ହେଉପଛେ ଛାତି ସାଢ଼େ ତିରିଶ ଇଞ୍ଚ, ଉଚ୍ଚତା ତ ଅଛି । ଲମ୍ବା ଲମ୍ବା ବାହାଗୁଡ଼ିକ ବଜ୍ରମୁଷ୍ଠି ସାଧି ଟାଙ୍କିଦେଲେ ଲମ୍ବା ହୋଇ ଦିଶେ ମାଂସପେଶୀ, ଚିପିଲେ ଟାଣ ଲାଗେ ।

 

ସାମ୍ନାରେ କେବେ ବିବାହ । ଘରଯାକ ମାର୍ଚ୍ଚ କଲାବେଳେ ସେକଥା ବି ମନେପଡ଼ୁଛି । ବିବାହକୁ ତୃଷ୍ଣା ନାହିଁ । କୁତୂହଳ ଖାଲି । ଟ୍ୟାଙ୍କ ଧରି କାଶ୍ମୀର ସୈନ୍ୟ––ବୀରର ଜୀବନ, ଦୂରର ଜୀବନ, କି ସୁନ୍ଦର ।

 

କିଶୋରବାବୁ ତର ତର ହୋଇ ଲେଖୁଛନ୍ତି ଗଳ୍ପ, ତର ତର, ଚର ଚର, ଦୁଆର ମୁହଁ ସେପାଖେ ଯେଉଁ ଭିକାରିଟି ନାକେଇଛି ବେଳେ ବେଳେ ତାହାଆଡ଼କୁ ଅନାଇଁ ଦେଉଛନ୍ତି । ଗଳ୍ପରେ ତା’ର ଛାଇ ପଡ଼ୁଛି । ଗଳ୍ପଟି ଭିକାରି ବିଷୟରେ । କେବେ ନ ଚିହ୍ନିଲା ଭିକାରିକୁ ଦେଖି ମନଭିତରର ତାରୁଣ୍ୟ କହୁଛି, ସେ ମୋର ଭାଇ, ସେ ମୋର ଭାଇ । ପ୍ରାଚୁର୍ଯ୍ୟରେ ଜନ୍ମ ଯାହାର ଆକାଶକୁ ଉଡ଼ି ସେ ଦେଖୁଛି, କ୍ଷୁଧାର ସ୍ୱପ୍ନମୟ ଚିତ୍ର । ଗଳ୍ପର ପୃଷ୍ଠା ଉପରେ ଫୁଟିଉଠୁଛି ଗୋଟାଏ ଗଛର ଛବି, ସେଥିରେ ଡାଳପତ୍ର ଥିଲା, ଗଣ୍ଡିରେ ଲଟା ବେଢ଼ିଥିଲା, ତଳେଥିଲା ଘାସର ଶେଯ—‘‘ଏଇ ସହକାରତଳେ—’’ ପୃଷ୍ଠାକୁ ପୃଷ୍ଠା ଚିରି କଲମର ମୁନ ତାକୁ ବିଦାରି ପକେଇଛି, ଗଣ୍ଡିରେ କୋରଡ଼, ଡାଳ ଛିଣ୍ଡିପଡ଼ିଛି, ପତ୍ର ଶୁଖିଛି, ଖାଲି ଥୁଣ୍ଟାଟା ଠିଆ ହୋଇଥିଲା ଫଟା ଭୂଇଁ ଉପରେ । ତାକୁ ବି ବଜ୍ର ଆକ୍ରମଣ କରି ଉପରୁ ପୋଡ଼ି ତଳୁ କରୁଛି ଦି’ ଫାଳ, ତଥାପି କଲମ ଚାଲିଛି, ତୋଫାନ ଚାଲିଛି, ଚେର ଛିଣ୍ଡୁଛି, ଉପୁଡ଼ୁଛି—ହେଇ, କଡ଼ କଡ଼ ଚଡ଼ ଚଡ଼, ହେଇ ଉପୁଡ଼ିଲା ସେ—ଯାଉ ଗଡ଼ି ଗଡ଼ି ଦୁନିଆଁର ରାସ୍ତାଏ ରାସ୍ତାଏ, ହାୟ ଭିକାରି, ହାୟ ଭିକାରି—

ଆଖିରେ ଲୁହ ଟଳ ଟଳ କଲାଣି । ଥରେ ବାହାରକୁ, ଥରେ ଭିତରକୁ ।

ଭିକାରି ଆଉ ତା’ର ଛିଣ୍ଡା ଲେଙ୍କୁଡ଼ି, ତା’ର ଫଟା ଥାଳ ।

ଆହା !

ଭିକାରି ଅସହିଷ୍ଣୁ ହେଲାଣି, ସେ ଯିବାକୁ ଚାହେଁ । ରୋଗା ହାତ ଛଟପଟ ହେଉଛି । କନାବନ୍ଧା ଗୋଡ଼ ବାରମ୍ବାର ଟହଲି ଯାଉଛି ସେଆଡ଼କୁ, ଆର ଘର ଦୁଆର ମୁହଁରେ ଆହୁରି ଭିକାରି ଭିକାରୁଣୀ । ପଛର ଭିକାରୁଣୀଟି ତା’ଆଡ଼କୁ ଚାହିଁ ହସି ଦେଉଛି ।

ଚାଲିଯିବ ଯେ !

‘‘ଦିଅ ଦିଅ ବାବୁଘର, ଦୟାକର ।’’

ଶରତ୍‌ବାବୁ ଏକା ଦୃଷ୍ଟିରେ ଚାହିଁ ରହିଛନ୍ତି ଆରପାଖର ନଳାଆଡ଼କୁ । ସେଠି ଗୋଟିଏ ଛଉକା ଧେଡ଼ କୁତି ଦାନ୍ତ ଉପରୁ ଓଠ ଉଠେଇ ନାଲିଆଖି କରି ବୁଲି ବୁଲି ବାରମ୍ୱାର ସମ୍ମୁଖୀନା ହେଉଛି ଗୋଟିଏ ଅଣ୍ଡିରା କୁକୁରର । କୁକୁରର ମୁହଁରେ ଆଗ୍ରହ, କୁତି ମୁହଁରେ ଦୃଢ଼ ପ୍ରତିଜ୍ଞା, ରାଗ-। ଭୁଟୁ ଭୁଟୁକା କଳା ନଳା ପାଖେ ନାରୀ ଚରିତ୍ରର ଆଭିଜାତ୍ୟ, ଜନ୍ତୁ ଚରିତ୍ରର ରକ୍ଷାକବଚର କରାମତି, ପୁରୁଷ ଚରିତ୍ରର ଆତ୍ମବିଶ୍ୱାସ, ଦୁଃସାହସ, ଅକ୍ଳାନ୍ତ ଚେଷ୍ଟା । ଟେବୁଲରେ କାଗଜ ଖୋଲାହୋଇ ପଡ଼ିଛି କେତେ । ଏ କାଗଜ, ସେ ଜୀବନ, ଶରତ୍‌ବାବୁ ଭାବୁଛନ୍ତି । ସେହି କଳା ନଳା ଭିତରେ ଅଗଣିତ କେତେ ସାନ ସାନ ଜନ୍ତୁଙ୍କ ବସା, ଲକ୍ଷ ଲକ୍ଷ ବ୍ୟାକ୍ଟେରିଆ କଲୋନି । ବଡ଼ ସହରର ବଡ଼ରାସ୍ତା ପରି ସିଧା ଲମ୍ୱିଛି କଳା ନାଳି, ସେଠି ବି ଗତାଗତ, ନାନାପ୍ରକାର ଅନୁଭୂତି, ଜୀବନ ସଂଗ୍ରାମ । ଫରୁଆ ଭିତରେ ଫରୁଆ, ସଂସାର ଭିତରେ ସଂସାର । କି ବିସ୍ମୟ ! ଆଉ, ସେହି ନଳାପାଖ ଢିପ ଉପରେ ଯେଉଁ ସାନ ସାନ ଘାସ ଓ ଅଗଛାର ମେଞ୍ଚାମେଞ୍ଚି, ତଳେଇ ଦେଖିଲେ ଜଣାପଡ଼େ ସେ ଅରଣ୍ୟ । ସେଠି ଇଞ୍ଚେ ଇଞ୍ଚେ ଉଞ୍ଚ ସାନ ସାନ ଗଛ; କିନ୍ତୁ ତଳର ତୁଳନାରେ ବରଗଛ ପରି, ସେହିପରି ଆକୃତି, ସେହିପରି ଗଢ଼ଣ । ସେଠି ପର୍ବତ, ସେଠି ଅରଣ୍ୟ, ସେଠି ବିଚିତ୍ର ଜନ୍ତୁଙ୍କର ଅଧିବାସ, ତାଙ୍କର ରାଗ-ରୋଷ, ଯୁଦ୍ଧ, ମେଣ୍ଟ, ରାଜତନ୍ତ୍ର, ଗଣତନ୍ତ୍ର, ସାମ୍ୟବାଦ, ନାନା ବାଦବିବାଦ—ପୁଣି ସୁସ୍ଥି, ପୁଣି ମୃତ୍ୟୁ ।

ଫରୁଆ ଭିତରେ ଫରୁଆ, ସଂସାର ଭିତରେ ସଂସାର ।

ଅଣୁ ଭିତରେ ପରମାଣୁ ।

ଆଟମ୍‌ବମ୍‌ ।

କଳା ନଳାରେ ଗୁପ୍ତ ଷଡ଼ଯନ୍ତ୍ରକାରୀ ଗଢ଼ୁଛନ୍ତି ବସି ଆଟମ୍‌ବମ୍‌,—ମ୍ୟାଲେରିଆର, ବାସିଲରି ଡିସେଣ୍ଟ୍ରିର, ହଇଜାର—

‘‘ଇଃ, କି ଗଳି !’’ ଶରତ୍‌ବାବୁ ଭାବୁଛନ୍ତି ।

ବିରୁଡ଼ି ବସାରେ ଟେକାପଡ଼ିଛି ।

 

ଆଠ

 

ପଛପାଖ ଗଳିରେ, ଆଖପାଖ ଗଳିରେ, ବଜାରରେ, ମଦଖଟିରେ ପୋଲିସ୍‌ ଅନୁସନ୍ଧାନ ଚଳେଇଛନ୍ତି । ସେଥିପାଇଁ ଢୋଲ ଟମକ ବାଜୁନାହିଁ, ରେଡ଼ିଓରେ ସମ୍ୱାଦ ବାହାରୁ ନାହିଁ-। କେଉଁଠି ଜଣେ ସାଧା ପୋଷାକପିନ୍ଧା ବାବୁ, ଅତି ସାଧାରଣ କିଛି ନ ଜାଣିଲା ଲୋକ, କେଉଁଠି ବା ପୋଷାକପିନ୍ଧା ପୋଲିସ୍‌ କର୍ମଚାରୀ ଜଣେ, ତୁନିହୋଇ ବସିଛନ୍ତି କାହା ପିଣ୍ଢାରେ, ଧୀରେ ଧୀରେ କଥା ପଚାରୁଛନ୍ତି, ଧୈର୍ଯ୍ୟରେ ଶୁଣୁଛନ୍ତି, ମୁଣ୍ଡଭିତରେ ବୁଲୁଚି ଚକ ପରି ଛିଣ୍ଡା ଛିଣ୍ଡା ଘଟନାର ଖିଅକୁ ଏଠୁ ନେଇ ସେଠି ଛନ୍ଦିଦେଇ ଡୋର କରୁଛି । ପ୍ରତ୍ୟେକ ସାନକଥା ବଡ଼କଥା ତଉଲି ଦେଖୁଛି, ତଷୁ ଉଡ଼େଇ ଦେଉଛି, ଘୋଡ଼ିହେଲା କନା ଚିରିଦେଉଛି ପରସ୍ତ ପରସ୍ତ କଥାଉପରୁ, ଅଣ୍ଡାଳୁଛି ଝୁଣ୍ଟୁଛି ଉଠୁଛି ଧରୁଛି ଅନୁସନ୍ଧାନୀ ମନ । ନୀରବରେ କାମ କରୁଛି । ଗଳିରେ ବୁଲୁଛି ପୋଲିସ୍‌ର ଆତ୍ମା, ଯୁଗ ଯୁଗର ସେ–ଦଣ୍ଡପାଶୀ, ପିଶୁନ, କଟୁଆଳ, ପୋଲିସ୍‌ ଦେଶେ ଦେଶେ । ତା’ର ନୀରସ ବେଶ, ଖରା ବରଷା ଝଡ଼ି ତୋଫାନ ସହି ଚେମେଡ଼ା ହୋଇ ସେ ଥାଏ ବେଶ୍, । ସେ ଏହି କଞ୍ଚା ମାଟିର, ଆକାଶର ନୁହେଁ, ସେ ଆଖିରେ ଦେଖେ, ହାତରେ କାମ କରେ, ହାତଗୋଡ଼ ଛାଟେ ନାହିଁ ।

 

ପଛପାଖ ଗଳିରେ ଆଗପାଖ ଗଳିରେ ବଜାରରେ ମଦଖଟିରେ ଟୁପ୍‌ ଟାପ୍‌ ଚହଳ––ପୋଲିସ୍‍ ଅନୁସନ୍ଧାନ ଚଳେଇଛନ୍ତି । କେତେଠିଁ କେତେ ଧାରଣା ନ ହେଉଣୁ ଫସରଫାଟି ଯାଉଛି ଆପେ ଆପେ, କିଏ ଛଟାଗାଳି ଘୋଡ଼ିହୋଇ ଶୋଇଲାଣି, କିଏ ଗଲାଣି ଦୂରଦେଶକୁ ବନ୍ଧୁ ଦେଖି ।

 

ଚିହ୍ନରା ଗ୍ରାହକ ଭଲ ଚିହ୍ନେ––ପୋଲିସ୍‌ ।

 

କିନ୍ତୁ ଗଳିରେ ସମାଲୋଚନା ଚାଲିଛି, ଏତେ ବଡ଼ ଆକ୍ରମଣ ହେଲା, ପୋଲିସ୍‌ କିଛି କରିପାରିବ ନାହିଁ । ପୋଲିସ୍‌ ଶୁଣେ, ତୁନି ରହେ, କାମ କରେ, ବିବୃତି ଦେବାକୁ ତାକୁ ମନା, କଥା ଜିଭ ଆଗକୁ ଉଠେ ନାହିଁ । ତେଣୁ ଶରତ୍‌ବାବୁଙ୍କ ଗଳିରେ ନିଷ୍ପତ୍ତି ହୋଇଛି ଆଜି ରାତିକ ଡିରେକ୍‌ଟ ଆକ୍‌ସନ୍‌ ହେବ, ସମାଜକୁ ବିପଦ ପଡ଼ିଛି । ଟେକାମାଡ଼ରେ ବହୁମୂଲ୍ୟ ମୁଣ୍ଡ ନଷ୍ଟ ହେବାର ଆଶଙ୍କା ଅଛି, ତେଣୁ ନିଜେ ଆଜି ପୋଲିସ୍‌ ହେବାକୁ ପଡ଼ିବ, ଜଗିବାକୁ ପଡ଼ିବ, ପହରା ଦେବାକୁ ପଡ଼ିବ । ଘରେ ଦିନର ହୁକୁମନାମା ଜାରି ହୋଇସାରିଛି, ଚାକର ପୂଜାରୀଙ୍କୁ ଭଲକରି ବୁଝେଇ ଦିଆହୋଇଛି, ଆଜି ରାତି ସାଢ଼େ ସାତଟା ସୁଦ୍ଧା ଖିଆପିଆ କାର୍ଯ୍ୟ ଶେଷ କରିବାକୁ ପଡ଼ିବ, ତା’ପରେ–ବାବୁମାନେ ପହରା ଦେବେ । ବହୁ ଲୋକରେ ପ୍ରସ୍ତାବ ହୋଇସାରିଛି, ଏକଥା କାହାକୁ କୁହା ହେବନାହିଁ । ସେହିକଥା ଗଳିର ଏମୁଣ୍ଡ ସେମୁଣ୍ଡ ଏପାଖ ସେପାଖ ପ୍ରଚାରିତ ହୋଇଛି ଯେ ଏ କଥା କାହାକୁ କୁହାହେବ ନାହିଁ । ଖୁବ୍‌ ତୁନି ତୁନି ଗଳାରେ ଚାକରାଣୀ ଧୋବାକୁ, ପୂଜାରୀମାନେ ବଜାର ଛକର ଦୋକାନୀମାନଙ୍କୁ ରାଣ ନିୟମ ପକାଇ ସତର୍କ କରି କହିଦେଇ ଆସିଛନ୍ତି––‘‘ଆଜି ବାବୁମାନେ ପହରା ଦେବେ । ହୁସିଆର, ଏକଥା କାହାକୁ କହିବ ନାହିଁ । ଜାଣିଲେ ଲୋକେ ତରକି ଯିବେ ।’’

 

ତା’ପରେ ଆୟୋଜନର ଘନଘଟା ।

 

ପଶୁଡାକ୍ତରବାବୁ ପ୍ରସ୍ତୁତ ରଖିଛନ୍ତି କାର୍ବୋଲିକ୍‌ ଆସିଡ୍‍ ଭର୍ତ୍ତି କରି ଏକ ପିଚକାରି ସିରିଞ୍ଜ-। ଯୁକ୍ତି ବଡ଼ ଅକାଟ୍ୟ, ଯେ ଯଦି ଟେକାମରା ଲୋକେ ହାବୁଡ଼େ ପଡ଼ିବେ ତେବେ କାର୍ବୋଲିକ୍‌ ଆସିଡ୍‍ର ଗୋଟାଏ ଫୁଆରା ଛୁଟେଇ ଦେବାକୁ ହେବ, ତହିଁରେ ଯେତେ ବଡ଼ ଶତ୍ରୁ ହେଉ ସେ ପରାସ୍ତ ହେବ ଏବଂ ଦେହରେ ଚିହ୍ନ ନେଇ ଘରକୁ ଫେରିଯିବ, ଆସିଡ଼୍ ଫୋପାଡ଼ି ତା’ ଦେହରେ ମୁଁ ଚିହ୍ନ କରିଛି କହିଦେଲେ ପୋଲିସ୍‌ କେଡ଼େ ଖୁସି ହେବ । କି ସହଜ ହେବ ଚୋର ଧରିବା କାମ । ଘରଯାକ ବୁଲୁଛନ୍ତି, ସିରିଞ୍ଜ୍‌ଟି ଏପାଖ ସେପାଖ ଲେଉଟାଇ ଦେଖୁଛନ୍ତି । ବାସ୍ତବିକ ବୁଦ୍ଧି ଥିଲେ କ’ଣ ନହୁଏ ! କଡ଼ାକେ ମାରି କଡ଼ାକେ ତାରି, କଡ଼ାକେ ଘରଦୁଆର କରି––ଆପଣାକୁ ବାହାବାଃ ଦେବାକୁ ଯାଇ ମନଖୁସିରେ ସିଟି ମାରୁଛନ୍ତି ।

 

କିନ୍ତୁ ହଠାତ୍‌ ମନେପଡ଼ିଗଲା । ଅଭିଯାନରେ ସେ ଖାଲି ଆକ୍ରମଣ କଥାହିଁ ଭାବୁଛନ୍ତି । ଆତ୍ମରକ୍ଷାର କି ବ୍ୟବସ୍ଥା ହୋଇଛି, ଦେହ, ମୁଣ୍ଡ, ଟେକାମାଡ଼ରୁ ବଞ୍ଚିବ ସେ କିପରି ? ମୁହାଁମୁହିଁ ହେଲେ ଶତ୍ରୁ କ’ଣ ଖାଲି ଟେକା ଫୋପାଡ଼ି ନିଶ୍ଚିନ୍ତ ହେବ ? ଠେଙ୍ଗା, ଛୁରି ?

 

ଯାଃ ! ସେଇତ ଅଡ଼ୁଆ !

 

ସୋଲର ହ୍ୟାଟ୍‌ ପ୍ରଚଣ୍ଡ ଟେକାମାଡ଼ ଦାଉରୁ ବଞ୍ଚେଇପାରିବ ନାହିଁ । ତା’ଛଡ଼ା ହ୍ୟାଟ୍‌ଟି ମୂଲ୍ୟବାନ୍‌ । ଖବରକାଗଜର ଛବିରୁ ମନେପଡ଼ିଲା––ହେଲ୍‌ମେଟ୍‌, ଶିରସ୍ତ୍ରାଣ, କାହିଁ ସେ ?

 

କିନ୍ତୁ ବୁଦ୍ଧିମାନ୍‌ ଲୋକ ଏ ସାମାନ୍ୟ ଅଭାବରେ ଦବେ ନାହିଁ । ୟା ବଦଳେ ତା’, ତା’ ବଦଳେ ୟା–ଏ ବଦଳି ନିୟମ ନଥିଲେ ସଂସାର ଚଳନ୍ତା ନାହିଁ । ସେ ଭାବିଗଲେ, ଯୁଦ୍ଧରେ ଡାକ୍ତରମାନେ ଚଳନ୍ତି ଔଷଧର ବଦଳା ପ୍ରସ୍ତୁତ କରୁଥିଲେ ସାଧାରଣ ଘାସରୁ, ପତ୍ରରୁ, ଆଉ ଶିରସ୍ତ୍ରାଣର ବଦଳା କ’ଣ ଖୋଜା ଯାଇନପାରେ ?

 

ବାଲ୍‌ଟି––ସେ ବେଢ଼ଙ୍ଗ ହେବ ।

 

କଂସାର ଲୋଟା––ବଡ଼ ଓଜନ, ମୁହଁଆଡ଼କୁ ବେଶୀ ଗଳିଗଲେ ବିପଦ ।

 

ପାତଳ ଲୁହାର କରେଇ–ଠିକ୍‌ ହେବ, ଠିକ୍‌ ହେବ, ଚିବୁକରେ ବାନ୍ଧିବାକୁ ଦୁଇପାଖେ କଡ଼ାରେ ଦଉଡ଼ି ଗଳି ପାରିବ । ଗୋଟାଏ ଦୁଶ୍ଚିନ୍ତା କଟିଗଲା, ସେ ଖୁସିହେଲେ । ଦେହପାଇଁ ଚିନ୍ତା ନାହିଁ, ସବୁଯାକ କାମିଜ ତା’ ଉପରେ ପିନ୍ଧି, ତା’ଉପରେ କୋଟ୍‌, ତା’ ଉପରେ ଓଭର୍‌କୋଟ୍‌, ତା’ ଉପରେ ଓ୍ୱାଟରପ୍ରୁଫ୍‌ ଘୋଡ଼େଇଦେଲେ ହଠାତ୍‌ ବାଡ଼ି ବା ଠେଙ୍ଗାରେ କିଛି ହେବନାହିଁ । ଗୋଡ଼କୁ ପୂରା ବୁଟ୍‌ ।

 

ତା’ପରେ ଦଉଡ଼ି, ଛୁରି, ସିଟି, ପିଠିପାଖେ ପାଣିଫ୍ଲାସ୍‌ ପକେଟରେ ଟର୍ଚ୍ଚ, ବହୁତ ପକେଟ୍‌, ସଂସାରଯାକ ପଶିପାରିବ ଏବଂ ହାତରେ ଆମୋଘ ଅସ୍ତ୍ର, କାର୍ବୋଲିକ୍‌ ଆସିଡ଼୍‍ର ସିରିଞ୍ଜ୍‌-

 

ପଶୁଡାକ୍ତରବାବୁ ତାଙ୍କ ପାତଳ ଶରୀରକୁ ବୀରବେଶରେ ମଣ୍ଡାଇ ଭାବିଲାବେଳେ ମନୁଷ୍ୟ ଡାକ୍ତର ମହା ଚିନ୍ତାରେ ପଡ଼ିଛନ୍ତି ଯେ ତାଙ୍କ ବିଶାଳ ଦେହକୁ ଲୁଚାଇବେ କିପରି । ଫୁଟ୍‌ବଲ୍‌ ଖେଳ ବେଳେ ମଣିଷର ଫରିଆ ହାଡ଼ ଧରି ପିଟାପିଟି––ସେ କେଉଁ ଅତୀତର କଥା, ବର୍ତ୍ତମାନ ନିଜେ ସେ ଫୁଟ୍‍ବଲ୍‌ କିନ୍ତୁ ନିନ୍ଦା । ତୁଣ୍ଡରେ ଖଣ୍ଡେ ସିଗାରେଟ୍‌ ଯାକି ଷ୍ଟେଥ୍‌ସ୍କୋପ୍‌ ଝୁଲେଇ ସାନ ବାକ୍‌ସ ବାନ୍ଧି ସାଇକେଲ ଛୁଟେଇ ସହରର ରାସ୍ତାଏ ରାସ୍ତାଏ, ଆଖି ଚଞ୍ଚଳ ଥିଲା, ପେଟେଣ୍ଟ ମେଡ଼ିସିନ୍‌ ଓ ଫାର୍ମାକୋପିଆ ଉପରେ ବିଶ୍ୱାସ ଥିଲା ଭଗବାନଙ୍କଠୁଁ ବେଶୀ । କାରଣ ସେ ଥିଲା ତାରୁଣ୍ୟ, ରୋଗା ନ ଥିଲେ, ପ୍ରସାର ନ ଥିଲା, ସୀମା ସୁସ୍ଥି ନ ଥିଲା । ଜୀବନର ଫମ୍ଫା ଉଷା––ସମ୍ଭାବନା ଅସଂଖ୍ୟ ଥିଲା ।

 

ଆଜି ସେହି ପୁରୁଣା ଛବିଟା କାଚ ଉହାଡ଼ରୁ ହସିଉଠେ ମଧ୍ୟାବସ୍ଥା ଆଡ଼କୁ ଚାହିଁ । ଆଜି ସନ୍ଧ୍ୟାରେ ତାରୁଣ୍ୟର ତୀର୍ଥଯାତ୍ରା । କିନ୍ତୁ ସ୍ଥୂଳଦେହ ଭାବେ, ଦେହଟାକୁ ବିପଦରୁ ବଞ୍ଚେଇବି କେମିତି ? ସମାଜର କି ଅତ୍ୟାଚାର, ନିତାନ୍ତ ଯିବାକୁହିଁ ହେବ ! ଶରତ୍‌ବାବୁ, ପ୍ରସନ୍ନବାବୁ ଦଳଙ୍କୁ ବେଳେ ବେଳେ ଚିଡ଼ିମାଡ଼େ, ଟୋକା ଲୋକ, ଅଦ୍ଭୁତ ଖିଆଲ, ଭିଡ଼ିବେ, ଛାଡ଼ିବେ ନାହିଁ ।

 

କିନ୍ତୁ ଏ ଦେହଟା––ଡାକ୍ତର ଭଲପାଏ ଦେହର ସୁସ୍ଥି, ସେ ଟେକା ବୃଷ୍ଟିକୁ ଯିବାକୁ ଚାହେଁନାହିଁ । ଭାବେ ଦୁନିଆଁ ତା’ର ଭାବନାର ମାପଯନ୍ତ୍ର ହଜେଇଛି । ସାମାନ୍ୟ ଆଞ୍ଚୁଡ଼ା ପାଇଁ ଯେଉଁଠି ଦରକାର ହୁଏ ଟିଟାନସ୍‌ ନିବାରିଣୀ ଦୀର୍ଘ ଚିକିତ୍ସା, ସାମାନ୍ୟ ବ୍ରଣ ପାଇଁ ରାତି ଅନିଦ୍ରା ହୋଇ ପେନିସିଲିନ୍ ଇଞ୍ଜେକସନ୍‌, ରୋଗ ହେଲେ ଲାଗେ ଅକ୍ଳାନ୍ତ ଶୁଶ୍ରୂଷା, ସତର୍କ ଚିକିତ୍ସା, ମଣିଷ ସେ ଦେହଟାପ୍ରତି ଆଦୌ ଯତ୍ନ ନିଏ ନାହିଁ । ତାଙ୍କୁ ଘେନି ମାଙ୍କଡ଼ ଖେଳ ଖେଳେ, ଡାକ୍ତରର କାମ ବଢ଼େ । ଛେପ ଢୋକି କେଉଁ ତରୁଣ ଆସି କହେ, ‘‘ଆଜ୍ଞା ଟିକିଏ ଉଢ଼ୁଆଳକୁ ଆସନ୍ତୁ,’’ ମୁଣ୍ଡ ନୁଆଏଁ । ଡାକ୍ତରଖାନାରେ ନିତି ମିଳେ ପିଟାପିଟି ହଣାହଣିଖିଆ ଦେହ । ଡାକ୍ତର ମୁଣ୍ଡ ହଲାଇ ଭାବେ ଦୁନିଆଁ ପାଗଳ ହୋଇଛି, ଉଦାସ ହୋଇ କର୍ତ୍ତବ୍ୟ କରେ, ଦିନ ବିତିଯାଏ, ଆପଣା କାନ ଉପରେ ଚୂନ ଲାଗିଲା ପରି ବୟସର ଧାସ ଲାଗିଯାଏ ।

 

ଡାକ୍ତର ଚିନ୍ତିତ––ସମାଜର ବନ୍ଧାଗତକୁ ସ୍ୱୀକାର କରି ଟେକାମାଡ଼କୁ ବି ଯିବାକୁ ହେବ । ହେଉ ତେବେ, ଖାଲି ଦରକାର ଭଙ୍ଗାପାନ ଟିଣେ, ତା’ପରେ ଦେଖାଯିବ ।

 

ପ୍ରସନ୍ନବାବୁ ସିଗାରେଟ୍‌ କିଣୋଉଛନ୍ତି । ରାତି ଗୋଟାକ ଉଜାଗର ହେବ । ସିଗାରେଟରେ ମଶାଲ ଜଳିବ । ଆସୁ ଦୁଇ ଟିଣ ।

 

ଏବଂ ଶରତ୍‌ବାବୁ ସବୁଯାକ କଳ୍ପନା କରିଛନ୍ତି ଆଠମଲ୍ଲିକର ଖଣ୍ଡେ: ଗଣ୍ଠିଗଣ୍ଠିକିଆ ବାଡ଼ିରେ । ନିରୀହ ଅହିଂସ ଶରତ୍‌ବାବୁ ଆଜି ଯେପରି ହିଂସାର ପ୍ରତୀକ । ଅଧା ତଞ୍ଛା ରଙ୍ଗବୋଳା ଆବୁଡ଼ାଖାବୁଡ଼ା ଗଣ୍ଠିଗଣ୍ଠିକିଆ ବାଡ଼ି ଖଣ୍ଡେ, କଣରୁ ବାହାରି ଅଳିନ୍ଧୁ ସଫାହୋଇ ସେ ତୀର ନିଜ ରୂପ ଧରି ଦଣ୍ଡାୟମାନ ହୋଇଛି: । ଅଭଦ୍ର କଦାକାର, କିନ୍ତୁ ନିରେଖି ଚାହିଁଲେ ସେହି ଶୁଖିଲା ବାଉଁଶରୁ ଗୋଟାଏ ବ୍ୟକ୍ତିତ୍ୱ ବାହାରିବାର ଦିଶେ । ହାତରେ ଧରିଲେ ତା’ର ବୈଦ୍ୟୁତିକ ବ୍ୟକ୍ତିତ୍ୱ ଅଙ୍ଗରେ ମିଶିଯାଇ ଉପୁଜାଏ କଳ୍ପନା, ମନହୁଏ ବାଡ଼େଇବି, ପିଟିବି, ଭାଙ୍ଗିବି । ଦେହରେ ବଳ ଆସେ ।

 

ଯେପରିକି ପାନ ନ ଖାଇବା ଲୋକ ନୂଆ ନୂଆ ଟିକିଏ ଗୁଣ୍ଡିପାନ ଅଭ୍ୟାସ କରୁଛି । ବାଡ଼ି ଧରିଲେ ମନ ମାତାଲ୍‌ । ନାନା ଭଙ୍ଗୀରେ ବାଡ଼ି ଉଞ୍ଚେଇ ବାଡ଼ି ବୁଲେଇବାର ଦୁର୍ଦ୍ଦମନୀୟ ଇଚ୍ଛା, ତଳେ ପିଟିବାକୁ, ଟେବୁଲରେ ବାଡ଼େଇବାକୁ, କାନ୍ଥରେ ଦେଇ ଠେଲିବାକୁ, ସେହି ବାଡ଼ିରେ ବୟସ ଓହ୍ଲେଇଯାଉଛି ପିଲାଦିନକୁ, ଶୈଶବ ଲେଉଟି ଆସିଛି, ଡାଙ୍ଗ ଖଣ୍ଡେ ଧରି ଏଠି ସେଠି ପିଟି ମଣିଷ ପିଲା ପ୍ରଥମ ଆବିଷ୍କାର କରିଥିଲା ତା’ର ନିଜର ଶକ୍ତିକୁ ।

 

ଶକ୍ତି ସାଧନା ସରିଥିଲା ବହୁଦିନୁଁ, ଫେର୍‌ ଆଜି ।

 

ଆଜି ସେ ଲେଉଟି ଆସିଛି, ତାହା ସହିତ କେତେ ଆନୁସଙ୍ଗିକ ଚିତ୍ର, ସଂସାରର ଗତିପଥରେ ବାରମ୍ୱାର କେତେଠିଁ ବାଧାପାଇଛି, ଉଦ୍ଦେଶ୍ୟ ଅଭିଳାଷ, କେତେକଥା କାନ୍ଥରେ ବାଜି ଫେରିଆସିଛି, ଖାଲି ଘରେ ବସି ସକେଇ ହେବା, ଦାର୍ଶନିକ ହୋଇ ମନକୁ ଫୁସୁଲେଇବା, ଯେ ଅଙ୍ଗୁର ବଡ଼ ଖଟା, ଯାହା ଆରୋଗ୍ୟ ହେବନାହିଁ ତାକୁ ସହିବାକୁ ହିଁ ହେବ, ଭଲେ ମନ୍ଦେ ଦିନ ସରିଯାଏ, ଦୈବ ଅଲଂଘନୀୟ । କିନ୍ତୁ ବାଡ଼ି ଧରିଲେ ମନେପଡ଼େ ଦୈବଠୁଁ ପୁରୁଷକାର ବଡ଼ ।

 

ଅତୀତରେ ନିଜର ବିଫଳତା ସୁମରି ରାଗ ଆସୁଛି, ଦାନ୍ତ କଡ଼ମଡ଼ ହେଉଛି, ଧୀରେ ଧୀରେ ମନ ଢଳିପଡ଼ୁଛି ଗୋଟାଏ ରୋମାନ୍‌ସ୍‌ ଆଡ଼କୁ, ଅତୀତର ଭୁଲା କବିତାଟି ଅନ୍ତରରୁ ଉଠି ସୋମ୍‌ ନ ପହଞ୍ଚୁଣୁ ତାର ଛିଣ୍ଡିଥିଲା, ସେ ଯାଇଛି ।

 

ମୁଣ୍ଡ ଭିତରେ କିଏ ଆବୃତ୍ତି କରୁଛି ସତେକି ବ, ଦ, ଗ, ସମ୍ୱଳିତ ମାନସିଂହ କବିଙ୍କର ବିସ୍ଫୋରଣ କବିତା–

 

‘‘ଦୂରେ ଦୂରେ ଦୂରେ––

ବନ୍ଦିନୀ ପ୍ରିୟା ରହିଲା କାହା ଘରେ ।’’

 

ବାଡ଼ି ଉପରେ ମୁଠାର ଜାବ ଟାଣ ହେଉଛି, ! ଟାଣ ହେଉଛି, ଡରି ଡରି ପୂଜାରୀ ଦେଖୁଛି––ନାଲିଆଖି ବୁଲୁଛି, ଗୋଲ ମୁହଁରେ ଅସ୍ୱାଭାବିକ କଠିନତା, ଗୋଲ ଦେହ ଫୁଲୁଛି, ଥରୁଛି, ଭାତ ଆଣିବି କି ବୋଲି କହିବାକୁ ମନକରି ପୂଜାରୀ କବାଟ ପାଖେ ଠିଆହୋଇ ଆଙ୍ଗୁଠିରେ ମୁଣ୍ଡ କୁଣ୍ଡୋଉଚି ।

 

ନଅ

 

ସେହି ରାତିଟା ।

 

ଆଶା ଉତ୍‌ପ୍ରେକ୍ଷା ଏକାଠି କରି ସମସ୍ତେ ଠୁଳ ହୋଇଛନ୍ତି ଶରତ୍‌ବାବୁଙ୍କ ଘରଆଗରେ । ଟୁପ୍‌ ଟାପ୍‌ କଥା । ଶୁଭୁଛି, ଫୁସ୍‌ ଫାସ୍‌ କଥା, ତୁନି ତାନି କଥା, ରାତି ଆଠଟା ବାଜିଛି, ଖିଆପିଆ ଶେଷ । ଏଥର ଶିକାରୀଦଳ ବେଣ୍ଟକୁ ବାହାରିବେ, କିଏ କେଉଁ ଘାଟିମୁଣ୍ଡ ଜଗିବ ।

 

କିନ୍ତୁ ଧୀରେ ଧୀରେ କଥାରେ ତର୍କ ବଢ଼ିଉଠୁଛି, ପାଟି ବଡ଼ ହେଉଛି, ଆରମ୍ଭ ହେଲାଣି ନେତୃତ୍ୱ ପାଇଁ କଜିଆ । କାହା କଥା ମାନିବାକୁ ପଡ଼ିବ, ସେଇ ଚିନ୍ତା । ଟେକା ଆଜି ଅପେକ୍ଷା କରିଛି, ବିଚାର ପାଇଁ ଅବସର ଦେଇଛି, ତେଣୁ ଲାଗିଛି ତର୍କର ଜଞ୍ଜାଳ । ଶରତ୍‌ବାବୁ କହିବାକୁ ଚାହାନ୍ତି, ଜଣ ଜଣ ହୋଇ ଭିନ୍ନ ଭିନ୍ନ ଛକରେ ଗୋଟି ଗୋଟିକିଆ ଠିଆହୋଇ ରହି ଲୋକଙ୍କ ଗତିବିଧି ନିଘାକରି ଚିନ୍ତା କରିବାକୁ ପଡ଼ିବ ।

 

ପ୍ରସନ୍ନବାବୁ ଚାହାନ୍ତି––ଏକାଠି ତିନି ତିନି ଜଣ ରହିବେ, ଏବଂ ଛକରେ ନୁହେଁ, ଅନ୍ଧାରୁଆ ରାସ୍ତା ମୋଡ଼ରେ । ପଶୁଡାକ୍ତରବାବୁଙ୍କ ମତରେ ସମସ୍ତେ ବାଡ଼ି ଲଗୁଡ଼ି ଧରି ଏକାଠି ଦଳବାନ୍ଧି ରାସ୍ତାରେ ଟହଲ ମାରୁଥିବେ, ଡାକ୍ତରବାବୁଙ୍କ ମତରେ––ଅଯଥା ଏତେ ଦୈହିକଶକ୍ତିର ଅପଚୟ କଲେ କିଛି କରିହେବ ନାହିଁ, ଏକାଠି ଏଇଠି କୋଉଠି ବସାଯାଉ, ସନ୍ଦେହସ୍ଥାନମାନଙ୍କୁ ପୂଜାରୀଚାକରଙ୍କୁ ପଠାଯାଉ, ତାଙ୍କଠାରୁ କୌଣସି ସୂଚନା ମିଳିଲେ ତା’ପରେ ଭଦ୍ରଭାବରେ ସନ୍ଦେହସ୍ଥଳକୁ ଘେରାଉ କଲେ ଚଳିବ । ସୁଧାଂଶୁବାବୁ ଚାହାନ୍ତି ଟର୍ଚ୍ଚଲାଇଟ୍‌ ଧରି ଜଣ ଜଣ ହୋଇ ଯାଇ ପଡ଼ୋଶୀମାନଙ୍କ ଅନୁମତି ନେଇ ତାଙ୍କ ଛାତ ଉପରେ ବସିବାକୁ ପଡ଼ିବ, ଦଳେ ଚାରିଭାଗ ହୋଇ ଗଳିରେ ବସିବେ, ତା’ପରେ ଟେକା ପଡ଼ିବାକୁ ଆରମ୍ଭ କଲେ ଏକାଠି ଚାରିଦିଗରୁ ଟର୍ଚ୍ଚ ଲାଇଟ୍‌ ଖେଦିଯିବ, ଅବସ୍ଥା ଜଣାପଡ଼ିବ । କିଶୋରବାବୁ ଚାହାନ୍ତି ସମସ୍ତେ ତୁଣ୍ଡରେ ଗୋଟିଏ ଗୋଟିଏ ସିଠି ଯାକି ଦୂରେଇ ଦୂରେଇ ରହିବେ, ତା’ପରେ ସିଠିରେ ସିଠିରେ ଆବାଜ୍‌ କଲେ ଟେକାପକାଳିର ଗତିବିଧି ଭଲ ଜଣାପଡ଼ିବ, ଦଳେ ଏକାଠି ବସି ସିଠି ଫୁଙ୍କିବାର ନାନାବିଧ ଭଙ୍ଗୀ ଅଭ୍ୟାସ କଲେ ସହଜରେ ସଙ୍କେତ ଅଭ୍ୟାସ ହୋଇଯିବ, ତେଣିକି ତ ସବୁ ସହଜ ।

 

ଅତଏବ ମତବାଦର ଯୁଦ୍ଧ, ଯାହା ମତ ଘେନାଯିବ ସେ ହେବ ଅଲେଖା ବିଶ୍ୱାସରେ ଦଳର ନେତା, ସର୍ଦ୍ଦାର ।

 

ତର୍କ ଚାଲିଛି, ଯୁକ୍ତି କଟାକଟି, ନଜିର ଦେଖାଦେଖି । ବ୍ୟକ୍ତିର ବ୍ୟକ୍ତିତ୍ୱ ହେଣ୍ଟାଳି ଉଠୁଛି, ମୋରି ପନ୍ଥା ଠିକ୍‌, ଆଉସବୁ ଭୁଲ୍ ।

 

ଏଠି ଯୁକ୍ତି କରିବାକୁ ସମସ୍ତିଙ୍କର ସମାନ ଅଧିକାର, ଭେଦା ଭେଦ ନାହିଁ । କିନ୍ତୁ ନିଜ ଅଜଣାରେ ନିଜର ବିଶିଷ୍ଟତା ପର ସଙ୍ଗେ ତୁଳନା କରି ଭେଦକୁ ହିଁ ଦେଖୁଛି । କାହାର ବିଶିଷ୍ଟତା ବିଦ୍ୟା, କାହାର ବପୁ, କାହାର ନିଜ ଆସନ, କାହାର ନିଜ ଅଭିଜ୍ଞତା ।

 

ସାଢ଼େ ନ’ଟା । ଚାଲିଛି ଯୁକ୍ତିର ବାଦର ବିବାଦ, ସେ ଛିଣ୍ଡେ ନାହିଁ, ସମାଧାନକୁ ସ୍ୱୀକାର କରେ ନାହିଁ ।

 

ହଠାତ୍‌ କୁଆଡ଼ୁ ଟେକାଟିଏ ଆସି ନଲ୍‌ଟଣ ଉପରେ ପଡ଼ିଲା ଏବଂ ନଲ୍‌ଟଣ ସାଙ୍ଗେ ସାଙ୍ଗେ ନିଭିଗଲା । ତା’ପରେ ତା’ଉପରେ, ତା’ଉପରେ, ଆହୁରି ଆହୁରି, ଯେପରିକି ଏତେବେଳ ଯାଏଁ ବନ୍ଦ ରହିଥିବା ଯୋଗୁଁ ସୁଧମୂଳ ସବୁ ଏକାଥରେ । ତର୍କ ବନ୍ଦ ହୋଇଗଲା । ମଣିଷର ନିହତ ସ୍ୱଭାବ ଆତ୍ମପ୍ରକାଶ କଲା ସେ ମଧ୍ୟ ଗୋଠର, କୋଠର, ଦଳର, ସମସ୍ତେ ଏକାଠି ଉଠି ରେ’ ରେ’ କାର କରି ଦୌଡ଼ିଗଲେ, ମଣିଷ ପଶୁ ରକ୍ତଚିତା ଘେନି ବୀରତ୍ୱ ଚାହେଁ, ରକ୍ତ-ରକ୍ତ-ରକ୍ତ ।

 

ଉପରୁ ଟେକାପଡ଼ୁଛି, ଘରୁ ବେଳେ ବେଳେ ଶୁଭୁଛି ଚିତ୍କାର, ତଳେ ବାବୁମାନେ ମନଇଚ୍ଛା ଦୌଡ଼ୁଛନ୍ତି । ଏ ଗଳି ସେ ଗଳି, ଏପାଖ ସେପାଖ ।

 

ଶରତ୍‌ବାବୁ ଠାଏ ଆଉଜିପଡ଼ି ଧକୋଉଛନ୍ତି, ଏ ଦେହ ଦୌଡ଼ିବା ପାଇଁ ନୁହେଁ, ନିଜେ ସେ ଦୌଡ଼ା ଦୌଡ଼ି କରିବାର ଘୋର ବିରୋଧୀ, ଅଥଚ ନ କରିବା କାମ କରିବାକୁ ପଡ଼ିଲା । ସ୍ୱଭାବ ସୁଲଭ ଭାବୁକତା ଉପରେ ଭରାଦେଇ ସେ ସହଜ ହେଉଛନ୍ତି । ଏହି ରାତି, ନିଶା ଝାଇଁ ଝାଇଁ, ଘରେ ଘରେ କବାଟ ପଡ଼ିଛି । କିଏ କେଉଁଠି ରହିଲେଣି, ଏଠି ସେ ଏକୁଟିଆ । ଦିନ ଚାଲିଯାଇଛି, ଦିନ ଚାଲିଯାଇଛି, ମିଛମିଛକିଆ ଭାତ ଡାଲି ରାନ୍ଧିବାର ଦିନ, ଡାଳିମାଙ୍କୁଡ଼ି ଖେଳିବା ଦିନ, ରାତି ବୁଲିବା ଦିନ, ଆଉ ପଛକୁ ଫେରିଲେ ବିପଦ । ସାମ୍ନାରେ ଶୁଭୁଛି ଆସନ୍ତା ଜୀବନର ଘୁ’ ଘୁ’ ଡାକ, ସ୍ଥାଣୁ ଗଡ଼ିଯିବ ଧୀରେ ଧୀରେ ଦୌଡ଼ିବା ତା’ର ଧର୍ମ ନୁହେଁ । ଏହି ରାତିରେ ମନେପଡ଼ୁଛି ମଣିଷର ଚେଷ୍ଟାର ବିଫଳତା, ପରିଶ୍ରମର ମୂଲ ଖୋଜିଲେ ଖାଲି ନିରାଶ ହେବାକୁ ପଡ଼େ, ଆଉ––‘‘ଖୋଦା ଯଦି ଦେତାହୈ ତୋ ଦେତାହୈ’’ ଏଇ ଉପୁରିଆ ଟେକାମାଡ଼ ପରି ଛପର ଫାଡ଼କେ ଦେତାହୈ । ଯେତେ ଚେଷ୍ଟାରେ ୟାର ଅର୍ଥ ପଡ଼ୁନାହିଁ, ତେବେ କ’ଣ ଏ ଭୌତିକ ? ଅନ୍ଧାରରୁ ବାଣୀ ଶୁଭୁଛି––ଏ ଭୌତିକ, ମଣିଷର ଚେଷ୍ଟାର ବାହାରେ । ଭାବନା ନୂଆ ଦିଗ ଧରିଛି-। ଅନ୍ଧାର ଦାନ୍ତ ଦେଖାଇ ଛିଗୁଲୋଉଛି, ଏ ଭୌତିକ, ଭୌତିକ ।

 

ଝାଳ ଫିଟିଲାଣି, ଶରତ୍‌ବାବୁ ବିରକ୍ତ ହୋଇ ଭାବୁଛନ୍ତି ବସା ରହିଲାଣି । କେତେ ଦୂରରେ । ମନରେ ଖେଳୁଛି ଅଜଣା ଭୟ ।

 

ଆରପାଖ ଗଳିରୁ କିଏ ଜଣେ ଆସୁଛି । ଘର ଓଳିତଳେ ଛପି ଛପି ଚାଲିଛି ମେଞ୍ଚାଏ ପ୍ରକାଣ୍ଡ ଅନ୍ଧାର । ତା’ର ମୁହଁ ନାହିଁ, ମୁହଁ ପରିବର୍ତ୍ତେ ଗୋଟାଏ ପ୍ରକାଣ୍ଡ ମୁଣ୍ଡ, ଅବୟବର ଚିହ୍ନବର୍ଣ୍ଣ ନାହିଁ । ଯେପରି ପାଳଗୋଛାଏ ଏକାଠି ହୋଇ ନୋଚାକୋଚା ହୋଇ ବନ୍ଧା ହୋଇଛି, କିନ୍ତୁ ହାତରେ ଗୋଜେଇ ଧରିଛି କ’ଣ ଗୋଟାଏ, ଉହୁଙ୍କେଇ ଧରିଛି, ତର ତର ହୋଇ ଚାଲିଯାଉଛି ଅନ୍ଧାରେ ଅନ୍ଧାରେ ବିଶାଳକାୟ ଅନ୍ଧାର । ଏ କ’ଣ କଳ୍ପନା ? ଶରତ୍‌ବାବୁ ନିର୍ବାକ୍‌ । ଟର୍ଚ୍ଚଲାଇଟ୍‌ ଟିପିବାକୁ ହାତ ଯାଉନାହିଁ, ଶୁଖିଲା ତଣ୍ଟିରେ ଜମା ହେଲାଣି ଦୁନିଆଯାକର ଅଠା, ଦେହ ଥରିଲାଣି-। ଇଚ୍ଛାଶକ୍ତି ଦୁର୍ବଳ ହୋଇ ମନାସୁଛି, ‘‘ସଇତାନ, ମୋର ପଛକୁ ଯା, ଆଗରେ ରହନା––’’

 

ସଇତାନ ମତ ବଦଳେଇଛି, ଆସୁଛି ଏଇଆଡ଼େ, ଶରତ୍‌ବାବୁ ଏଣିକି ତେଣିକି ଚାହୁଁଛନ୍ତି, ସବୁଠି କବାଟ ପଡ଼ିଛି ।

 

ହଠାତ୍‌ ଚାରିଆଡ଼ୁ ବାଜିଉଠିଲା ସିଠି, ଟର୍ଚ୍ଚଲାଇଟ୍‌ମାନଙ୍କର ଆଲୁଅ କଟାକଟି ଦଳ, ଧାଇଁଲେ, ସଇତାନ ଧାଇଁଲା, କୁକୁରପଲ ବୋବେଇ ବୋବେଇ ଧାଇଁଲେ, ଯେମିତି କିଏ ବାଡ଼େଇ ପକୋଉଛି । ଚାହୁଁ ଚାହୁଁ ବାତାବରଣ ବଦଳିଗଲା । ଶରତ୍‌ବାବୁ ବୀର ହୋଇ ଆଗକୁ ଯାଉଯାଉ ଚିତ୍କାର କଲେ ପୁରୁଷ ଗଳାରେ––‘‘କିଏରେ ? କିଏରେ ?’’ ଆଗରେ ଗୋଟାଏ ଗୋଳମାଳର ଭଉଁରି, ଉଲ୍ଲାସର ଚିତ୍କାର––‘‘ଧରିଛି, ଧରିଛି’’ ଠେଙ୍ଗା ଉଠୁଚି, ପଡ଼ୁଚି, ହାତ ଉଠୁଛି, ପଡ଼ୁଛି, କୁକୁରମାନେ ସମବେତ ଆକ୍ରମଣର ଉଦ୍ଦେଶ୍ୟ ଭୁଲି ନିଜ ଭିତରେ ଧରାପରା ହୋଇ ଗଡ଼ା ଗଡ଼ି ହେଉଛନ୍ତି, କବାଟ ଖୋଲିଯାଉଛି, ଝରକା ଖୋଲୁଛି, ଗୋଟିଏ ଗୋଟିଏ ହୋଇ ଭଦ୍ରଲୋକ ଓହ୍ଲେଇ ଆସୁଛନ୍ତି । ଶରତ୍‌ବାବୁ ପହଞ୍ଚିଗଲେ ।

 

ଭଉଁରି ଭିତରେ ସଇତାନ୍‌ କୁଦାମାରୁଛି, ସତେକି ବିପଦରେ ପଡ଼ି ଗୋଟାଏ ବଣ୍ୟ ଜନ୍ତୁ-। ଜନ୍ତୁର ଚିତ୍କାର ହିଁ ଶୁଭୁଚି, ଗୋଳମାଳରେ ଭାଷା ତା’ର ଦୁର୍ବୋଧ୍ୟ ।

 

କିନ୍ତୁ ପୁଣି ଯେପରି କୁହୁକ ଘଟୁଛି । ଜନ୍ତୁ ପରସ୍ତକୁ ପରସ୍ତ ତା’ର ଦେହର ଖୋଳ ଖୋଲିପକାଉଛି, ସରୁ ହୋଇଯାଉଛି, ମୁଣ୍ଡ ଖୋଲି ଫୋପାଡ଼ି ଦେଉଛି, ତା’ ତଳେ ଗୋଟିଏ ସରୁଆ ମୁହଁ, ଅତୀତର ଇତିହାସର କଳ୍ପନାରାଶି ଖୋଲି ଫୋପାଡ଼ି ଦେଇ ଦୁର୍ବଳ ବର୍ତ୍ତମାନର ଜୀର୍ଣ୍ଣ କଳେବର ଆର୍ତ୍ତ ହୋଇ ପାଟିକରୁଛି––‘‘ଏଥର ଭଲକରି ଦେଖନ୍ତୁ, ଆଖି ଫାଡ଼ି ଦେଖନ୍ତୁ, ମୁଁ ପଶୁଡାକ୍ତର, ବନ୍ଦ ହେବେ ଏଥର ? ଓଃ, କି ବିପଦ !’’

 

ଅଭିଯାନରେ ମୁଣ୍ଡି ମରିଗଲା ।

 

ଟେକା ପକା ବନ୍ଦ ହେଲାଣି । ଏଣିକି ଘର, ନିଜ ନିଜର ସବୁ ଦିନିଆଁ ଖଟ, ଶେଯ, ତକିଆ । ଆଚମ୍ୱିତକାରୀ ଗୁଣର ସୁବାସ କର୍ପୂର ଉଡ଼ିଯାଇଛି, ଏଣିକି ମଡ଼ାବାଟର ମଣିଷ କଳ ।

 

ତା’ର କାଚର ଆଖି, କାଠର ଗୋଡ଼, ତଷୁର ଛାତି ।

 

ରବର୍‌ର ବାଡ଼ିପରି ହାତ ଗୁରେଇ ପକାଏ ଖୋଳଲଗା ତୂଳା ତକିଆକୁ ।

 

କଳ ଟ୍ରାକ୍ଟର୍‌ ଖେତ ଚଷେ, କାହିଁକି ସେ ଜାଣେନାହିଁ ।

 

ଦଶ

 

ସକାଳ, ଦିନ ଆଠଟା । ପଶୁଡାକ୍ତରବାବୁ ଶୋଇଛନ୍ତି, ରାତିର ମଜରା ଛାଡ଼ିବାକୁ ସମୟ ଲାଗିବ । ଟିକିଏ ଭିଡ଼ିମୋଡ଼ି ହୋଇ ଆଖି ଖୋଲିଲେ ଆପଣା ଉପରେ ଗଭୀର ସହାନୁଭୂତିଆସେ, ସହାନୁଭୂତି ପାଇଁ ନିଜ ସକାଶେ କର୍ତ୍ତା ଓ କର୍ମ ଏକା ସେ । ଆଉ କେହି ନାହିଁ । ଆଉ କେହି ନାହିଁ । ଏହି ତିନିପଦ କଥାରେ ଆଖି ପାଣିଚିଆ ହୋଇଆସେ ଏବଂ ସମଗ୍ର ପୃଥିବୀ ସଙ୍କୁଚିତ ହୋଇ ସୀମାବଦ୍ଧ ହୁଏ ନିଜଠିଁ, ନିଜର ଖଟରେ, ଏତିକି ।

 

ଆଃ, ସଂସାର ଶାନ୍ତି ଦେବ ନାହିଁ ।

 

ଧାଡ଼ି ଧାଡ଼ି ବସାଘର ରେଲ ଗାଡ଼ିର ଡବାପରି, କିନ୍ତୁ କାନ୍ଥ ପତଳା, ସାମ୍ନାର ଅଧାକାନ୍ଥି ଅଳ୍ପ ଉଚ୍ଚ । ପଡ଼ିଶା ଘରମାନଙ୍କର ସକାଳ ଆଠଟାରେ ଗୃହ ସଙ୍ଗୀତ ସମସ୍ୱରରେ ଗୋଡ଼େଇ ଆସେ ପଶୁଡାକ୍ତରଙ୍କ ପାଖକୁ ଏବଂ ପୂର୍ବ ଦ୍ୱାର ବାରିଆଡ଼ବାଟେ ପ୍ରଶ୍ନ ସୂଚକ ଚାହାଣିରେ ଚାହେଁ ସନାତନ ବୃଦ୍ଧ ସୂର୍ଯ୍ୟ । ଏ କ’ଣ, ଏତେ ବେଳଯାଏ ଖଟଉପରେ କାହିଁକି ?

 

‘‘Thou busy old fool unruly Sun, son of a gun.’’ ନା, ଶାନ୍ତି ଦେବ ନାହିଁ ।

 

ସମବେତ ସଙ୍ଗୀତ ଚାଲିଛି ସକାଳ ଆଠଟା ବେଳର ଚେଁ ଚାଁ ।

 

ଏ ପ୍ରସନ୍ନବାବୁଙ୍କ ଘରର ଡିମ୍ୱପିଠା ।

 

କ କ କ କ କ–କୁକୁଡ଼ା ଗୋଡ଼େଇଚି, କୁକୁଡ଼ା ପଳେଇଚି । ଭୀମବାବୁଙ୍କ ଘରେ ସକାଳୁଆ ସ୍ୱାମୀସ୍ତ୍ରୀଙ୍କର ଯୁଦ୍ଧରୋଳ, ଏହି ଆରମ୍ଭ, ଏହାର ଅବସାନ ହେବ ରାତି ନ’ଟା ବେଳେ ।

 

ସୁଧାଂଶୁବାବୁଙ୍କ ଗାଧୁଆ ଘରେ ପାଣି ଢଳାହେବା ଶବ୍ଦ ।

 

ମନ୍ଦ୍ରଗଳାରେ କିଶୋରବାବୁଙ୍କର ଭଗବତ୍‌ ଗୀତା ଆବୃତ୍ତି ।

 

ରାସ୍ତାରେ ପରିବା ବିକାଳିଙ୍କ ଚହଳ ଏବଂ କାଠବୁହା ଶଗଡ଼ ଗାଡ଼ିର ।

 

ସାନପିଲା କାନ୍ଦୁଛନ୍ତି ।

 

କାଉ ବୋବାଉଛି ।

 

ସେପାଖ ଘରେ ମାଷ୍ଟର ଓ ଛାତ୍ର ଏକାଠି ଆରମ୍ଭ କଲେଣି ନହବତ୍‌, ଚାହାଳି ଲାଗିଲା ଏବଂ ଦୂରରେ ସହରର ମଣିଷ ଇଞ୍ଜିନ୍‌ର ଶବ୍ଦ, ଯାହାକୁ କାନଦେଲେ ସମୟର ସଙ୍କେତ ବୁଝାଯାଏ ଏବଂ ଘର ଅନ୍ଧାର କରି ସୁଦ୍ଧା ବନ୍ଦ ହେଲା ଘଣ୍ଟାରେ ମନରୁ ଅନ୍ଦାଜ କରି ସମୟ ଦେଇହୁଏ, ବେଳ ଆଠଟା ।

 

ନା, କବାଟ ଖୋଲି ଦିନର ମୁହାଁମୁହିଁ ହେବାକୁ ଇଚ୍ଛା ନାହିଁ, ଧୂଳିଆ ଆକାଶ, ଫମ୍ଫା ରାସ୍ତା, କବିତା ନାହିଁ ।

 

ସେମାନେ କ୍ଷମାପ୍ରାର୍ଥନା ମାଗିଥିଲେ କାମ ଶେଷରେ, ଗୋଟି ଗୋଟି ହୋଇ, କେତେ ସହାନୁଭୂତି ଢାଳି ଦେଇଥିଲେ––‘‘କ’ଣ ହେଲା, କାଟୁଚି ବେଶୀ ? ଆଃ––’’ ଡାକ୍ତରବାବୁ ଔଷଧ ଦେବେ ବୋଲି ଝୁଙ୍କ ଧରିଥିଲେ ।

 

କଥାଟା ଖେଳିଥିବ । କବାଟ ଖୋଲିଲେ ଜଣ ଜଣ ହୋଇ ଆସି ପଚାରିଯିବେ––କେମିତି ଅଛନ୍ତି ? କେମିତି ହେଲା ?

 

କଷ୍ଟଂ ନ ବାଧତେ ରାଜନ ତବ ବାଧତି ବାଧ୍‌ତେ ।

 

ଆଃ––ଗଣ୍ଠିଟା ଉପରେ ।

 

ବରଂ କବାଟ ବନ୍ଦଥାଉ ।

 

କବାଟରେ ଧଡ଼୍ ଧଡ଼୍––‘‘ଡାକ୍ତରବାବୁ, ଡାକ୍ତରବାବୁ––’’ କାହାର ଗୋରୁ ପ୍ରସବ କରୁଥିବ ।

 

‘‘ଡାକ୍ତରବାବୁ, ଡାକ୍ତରବାବୁ, କବାଟ ଖୋଲନ୍ତୁ ।’’

 

କବାଟ ଖୋଲି ମୁହଁ ଗଳେଇଲାବେଳକୁ ପିଣ୍ଢାରେ ବହୁ ଲୋକଙ୍କ ଭିଡ଼, ସାନ ସାନ ପିଲା ବି ମିଶିଛନ୍ତି । ଦୂରେଇ ଦୂରେଇ ରାସ୍ତା, ଝାଡ଼ୁ, ପରିବା, ଶଗଡ଼ ଅଟକି ଅଟକି ଚାହିଁଛନ୍ତି । ଲଣ୍ଡାମୁଣ୍ଡ, ରୁଦ୍ରାକ୍ଷ ମାଳି, ଗେରୁଆଲୁଗା ପଞ୍ଜାବି, କାଖତଳେ ବହି, ହାତରେ ପାଲିସ ଧଳା ଶଙ୍ଖ, ଜଣେ ଟୋକା ବାବାଜି । ପଶୁଡାକ୍ତରବାବୁଙ୍କୁ ଦେଖିଲାମାତ୍ରେ ସମସ୍ତେ ତାଙ୍କ ପରିଚୟ ଦେବାରେ ବ୍ୟସ୍ତ, ଯେ ତାଙ୍କୁ ଯେତିକି ଚିହ୍ନେ, ଷଣ୍ଢ ଜଗୁଆଳି ମାନପତ୍ର ଗାଉଛି––ଏ ଅଦ୍ଭୁତ ସାଧୁବାବା, କହିଛନ୍ତି ତା’ର ପୁଅ ହେବ । ତାହାରି ଗଳାଟି ମୋଟ, ଅନ୍ୟମାନେ ନାନା କଥା କହୁଛନ୍ତି । ସମସ୍ତେ ବ୍ୟସ୍ତ, ଏ ମହାପୁରୁଷଙ୍କର ସତ୍କାର କରାଯିବ କିପରି । ସମସ୍ତିଙ୍କ ବ୍ୟସ୍ତତା ରୂପ ଦେଖି ଡାକ୍ତରବାବୁ ମଧ୍ୟ ବ୍ୟସ୍ତ ହୋଇପଡ଼ିଲେ, ବାବାଜି ଶଙ୍ଖ ଫୁଙ୍କି ହାତଟେକି ଆଶୀର୍ବାଦ କଲେ––‘‘ଆନନ୍ଦ ହୋ ।’’

 

‘‘ଆସନ୍ତୁ, ଆସନ୍ତୁ, ଶରତ୍‌ବାବୁଙ୍କ ବସାକୁ ଯିବା । ତମେସବୁ ଏତେଲୋକ କାହିଁକି ? କ’ଣ ? ସୁଆଙ୍ଗ ଲାଗିଛି ? ସେଇଆତ କହେଁ ତମର ଏ ଢଙ୍ଗ ଦେଖିଲେ ବିଦେଶୀ ଲୋକ ଆମ ପ୍ରଦେଶ ବିଷୟରେ କି ଧାରଣା କରିବେ ?’’

 

ଲୋକେ ହତାଶ ହୋଇ ଫେରିଗଲେ । ବାସ୍ତବିକ–ଏ ବଡ଼ବଡ଼ିଆଙ୍କୁ ଯାହାକିଛି ଦେଖାଇଦେଲେ ସବୁ ଆପଣାର କରିନେବେ । ବାବାଜି ବି ଆତୁସ୍ଥ, ମୃଦୁ ମୃଦୁ ହସୁଛନ୍ତି ଯେପରିକି ସେ ଏଠି ଅତି ପରିଚିତ, ସେ ଏହି ଦଳର, ଏହି ଶ୍ରେଣୀର ।

 

ଯେଉଁମାନେ ତାଙ୍କୁ ଆଣି ଏ ଲ୍ୟାଣ୍ଡିଂ ଗ୍ରାଉଣ୍ଡରେ ସ୍ଥାପନା କଲେ ସେମାନଙ୍କ ଆଡ଼କୁ ଆଉ ବେକଭାଙ୍ଗି ଚାହୁଁ ନାହାଁନ୍ତି ।

 

ଭିଡ଼ ଭାଙ୍ଗିଲା, କିନ୍ତୁ ଧୋବ ଫରଫର ହୋଇ ଏ ଘରୁ ସେ ଘରୁ ବାହାରିଆସୁଛନ୍ତି ଗଳିର ମୁଣ୍ଡିଆଳମାନେ––ପ୍ରସନ୍ନବାବୁ, ସୁଧାଂଶୁବାବୁ ଆଦି । ସେ ମୁଣ୍ଡରୁ ଧୋବଣୀ ବୁଢ଼ୀ ଚିତ୍କାର କରୁଛି, ‘‘ଏଣେ ହେଲେ ଟିକିଏ ପାଦ ପଡ଼ୁ ମହାପ୍ରଭୁ, ମୋର ଗୁହାରି ଅଛି, ମୋର ଜଣାଣ ଅଛି ।’’

 

ଶରତବାବୁ ସସମ୍ଭ୍ରମେ ଉଠି ଅଭ୍ୟର୍ଥନା ଜଣାଇଲେ, ସେହି ଠାଣିରେ ଯାହା ଜଣାଇଦିଏ ସେ ଅନୁଦାର ନୁହନ୍ତି । ବାବାଜି ଆଶୀର୍ବାଦ କରିସାରି ଚୌକି ଟାଣି ଧୀରେ ବସିପଡ଼ିଲେ, ସିଧା ଚାହିଁ ମୃଦୁ ମୃଦୁ ହସିଲେ––ସେହି ଠାଣିରେ, ଯାହା ଜଣାଇଦିଏ ସେ ଏପରି ଅଭ୍ୟର୍ଥନା ଘେନିବାକୁ ସଦା ଅଭ୍ୟସ୍ତ ।

 

ନୀରବରେ ପୋଥି ଖୋଲିଗଲା, ଟେବୁଲ ଉପରେ ସାର୍ଟିଫିକେଟ୍‌ର ଗୋଟିଏ କ୍ଷୁଦ୍ର ପ୍ରଦର୍ଶନୀ । ଯାହାର ଯେଉଁଟା ଇଚ୍ଛାହେଉଛି ସେ ଗୋଟେଇ ନେଇ ଦେଖିପକାଉଛି । ଅଦ୍ଭୁତ ଶକ୍ତିର ପରିଚୟ, ଅଦ୍ଭୁତ ବ୍ୟକ୍ତିତ୍ଵର ପରିଚୟ । ଟ୍ରିଭାଣ୍ଡ୍ରମ୍‍ଠାରୁ ମୁଲତାନ୍ ଯାକେ, ଲୋକଙ୍କର ହାତ ଅକ୍ଷର, କେତେ ବିସ୍ମୟକର କାହାଣୀ ।

 

‘‘ଏହି ପରିବ୍ରାଜକ––’’ କିଶୋରବାବୁ ଭାବୁଥାନ୍ତି, ‘‘କି ବିଚିତ୍ର ଜୀବନ ୟାଙ୍କର !’’

 

‘‘ଅସମ୍ଭବ’’ ସୁଧାଂଶୁବାବୁ ଭାବୁଥାନ୍ତି ‘‘ଏ ସଂସାରରେ ଆଶ୍ଚର୍ଯ୍ୟର ସ୍ଥାନ ନାହିଁ, ଭେଳିକିର କଥା ଖାଲି ପାଗଳର ପ୍ରଳାପ’’ ଅବିଶ୍ୱାସରେ ଭାବୁଥାନ୍ତି ଓଠ ବାଙ୍କ କରି ଅପେକ୍ଷା କରିଥାନ୍ତି, କେତେବେଳେ ବିଶ୍ୱାସର ଭ୍ରାନ୍ତି ତୁଟି ଉଦେହେବ ଅବିଶ୍ୱାସର ବାସ୍ତବତା ।

 

‘‘ସତେ ଏ ସର୍ବଜାଣ ?’’ ପ୍ରସନ୍ନବାବୁ ପୁଲକରେ ଅପେକ୍ଷା କରିଥାନ୍ତି । ‘‘ତେବେ ତ ଏ କହିପାରିବ ପଦବୃଦ୍ଧି କେବେ, କେବେ ହେବ ସ୍ଥାନାନ୍ତର । ଚାକିରିଆ ଜୀବନର ଏ ଚିରନ୍ତନ ଦୁଇ ପ୍ରଶ୍ନର ଉତ୍ତର ହୁଏତ ଦେଇପାରିବ କେବଳ ଏହି ଲୋକଟି ।’’ ‘‘କେତେ ଗଣକ ତାଙ୍କର ଯଶା ସାଧିଛନ୍ତି, କୋଷ୍ଠୀ ଦେଖି ଫଳ ଲେଖି ଦେଇଛନ୍ତି, ସବୁ ଫାଇଲ୍‌ରେ ଅଛି ।’’ ସମସ୍ତେ କହିଛନ୍ତି, ‘‘ଆପଣଙ୍କର କୋଷ୍ଠୀ ବଡ଼ ଜଟିଳ, ଅଦ୍ଭୁତ, ଅଲୋକିତ, ସାଧାରଣ ଲୋକ ନିଶ୍ଚୟ ଗଣନାରେ ଭୁଲ୍ କରିବ ।’’ ଏତିକି କହି ନିଜର ଅସାମାନ୍ୟ ପ୍ରତିଭା ପ୍ରମାଣ କରିଛନ୍ତି, ପ୍ରସନ୍ନବାବୁଙ୍କ ଅସାମାନ୍ୟ ଭବିଷ୍ୟତର ସୂଚନା ଦେଇ ତାଙ୍କୁ ସମ୍ମାନିତ କରିଛନ୍ତି, ଫଳେ ପୁଷ୍ପେ ନେଇଛନ୍ତି ।

 

କିନ୍ତୁ କାହାରି ଗଣନା ସଙ୍ଗେ କାହାରି ଗଣନା ମିଳିନାହିଁ କିମ୍ୱା କୌଣସି ଗଣନାର ଅସଲ ଉଦ୍ଦେଶ୍ୟ––ପଦବୃଦ୍ଧି ଏପର୍ଯ୍ୟନ୍ତ ଫଳରେ ଫଳିନାହିଁ ।

 

ହୁଏତ ୟାଙ୍କପରି କେହି ନୁହନ୍ତି, ୟାଙ୍କରି କଥା ଫଳିବ ।

 

ମୃଦୁ ମୃଦୁ ହସୁଛନ୍ତି, ଅପେକ୍ଷା କରିଛନ୍ତି ସେବା ଶେଷକୁ ।

 

ସନ୍ନ୍ୟାସୀଙ୍କ ହାବଭାବରେ ଅସାମାନ୍ୟ ଧୈର୍ଯ୍ୟ, ଅସାମାନ୍ୟ ଶାନ୍ତି । କେଉଁଠି କ’ଣ ଶୁଣିବାକୁ ଆଶାକରିବା କଥା, ତା’ ସେ ଜାଣନ୍ତି । ଜୀବନର ଏପରି ବହୁତ ଅଭିଜ୍ଞତା । ସଂସାରୀ ଲୋକ ଆପଣାର ବେଢ଼ା ଭିତରେ ପଡ଼ି କଉମାଛ ପରି କବ କବ କରୁଥାଏ, ବର୍ଷା ଧାର, ତାଳଗଛର ଆଶ୍ରା, ସେ ଗଛ ଚଢ଼ନ୍ତା ।

 

ସନ୍ନ୍ୟାସୀ ମୁଖାପିନ୍ଧା ମୁହଁରେ ଚାହିଁଛନ୍ତି ସମବେତ ଭଦ୍ରମଣ୍ଡଳୀଙ୍କୁ ।

 

ଆପଣାକୁ ରୋକିବାହିଁ ଭଦ୍ରତାର ଭେକ ।

 

ନ ରୋକିଲେ ?

 

ଶଗଡ଼ ଗାଡ଼ି ଘଡ଼ ଘଡ଼ ହୋଇ ଗଡ଼ିଯାନ୍ତା ଡାଉନେ ଡାଉନେ । ଏତେ ଘଡ଼ ଘଡ଼ ଶୁଣୁ ଶୁଣୁ ସନ୍ନ୍ୟାସୀଙ୍କ ମୁଣ୍ଡ ପାଗଳ ଧରନ୍ତା । ହୁଏତ ସେ ନିଜେ ଗୁଣ୍ଡା ହୋଇଯାନ୍ତେ ଚକତଳେ । ଭଦ୍ରତା ଥମ୍ୱିଲା ପଣରେ ନିଜକୁ ପ୍ରକାଶ କରିଛି––ସମସ୍ତେ ଦମ୍ଭିଲା, ସମସ୍ତେ ଚୁପ୍‌ଚାପ୍‌ । ଶରତ୍‌ବାବୁ ଅନ୍ୟମନସ୍କ ହେଲାପରି କାଗଜ ଓଲଟାଉଛନ୍ତି, ପ୍ରସନ୍ନବାବୁ ଜୋରରେ ସିଗାରେଟ୍‌ ଶୋଷୁଛନ୍ତି, ତାଙ୍କର ଏକଦମ୍‌ ଆଗ୍ରହ ନାହିଁ ଯେପରି । ପଶୁଡାକ୍ତର ବାବୁ ଜୋରରେ ଦୁଇ ଆଣ୍ଠୁ ଢାଇ କରୁଛନ୍ତି-। ସୁଧାଂଶୁବାବୁ ନିରେଖି ନିରେଖି ପରୀକ୍ଷା କରୁଛନ୍ତି ଶରତ୍‌ବାବୁଙ୍କ ଟେବ୍‌ଲ୍‌ର କାଠ-

 

ଭବିଷ୍ୟତର କଥା, ଭାଗ୍ୟର ଫଳାଫଳ, ବାଞ୍ଛିତ ଆଶାର ପ୍ରକାଶ ପରିଣତ––ଖାଲି ବିଶ୍ୱାସୀ ତା’ର ରାତିବେଳର ମୁଣ୍ଡତଳ ତକିଆ । ଆଉ ଏ ହାଟ ଭିତରେ ।

 

ସନ୍ନ୍ୟାସୀ ହସି ହସି ଆଖି ବୁଲେଇଆଣିଲେ ଏ ମୁହଁରୁ ସେ ମୁହଁ––ସବୁଠି ସମାନ, ଭିତରେ ଉଦ୍‌ବେଗ କୁତୂହଳର ତୋଫାନ୍‌ମେଲ, ବାହାରେ କଙ୍କର ପଥର ଉପରେ ରେଲ୍‍ଲାଇନ, ଅତି ନିଛାଟିଆ, ଏଠି ଯାହା ସବୁଠି ତାହା––ଶୁଖିଲା ଡାଙ୍ଗଅଗରେ କଙ୍କି ବସିଛି, ତା’ଉପରେ କଜଳପାତି ବସି ଲାଞ୍ଜ ହଲାଉଛି ।

 

ସନ୍ନ୍ୟାସୀ ଆରମ୍ଭ କଲେ––‘‘ପୁଛୋ ।’’

 

ତୋଫାନ ଛୁଟେଇ ଦୂରରୁ ରେଲଗାଡ଼ି ମାଡ଼ିଆସୁଛି, ପ୍ରଳୟର ବାବନାଭୂତ । କମ୍ପ ଲାଗିଲାଣି । ଶବ୍ଦରେ କାନ ଅତରା ପଡ଼ୁଛି । ‘‘ପୁଛୋ’’ । ଉଠିଗଲା ସିଗନେଲ୍‌ । ପ୍ରଶ୍ନର ବାଣ । ଦିଅ, ଉତ୍ତର ଦିଅ ସର୍ବଜାଣ, ମଣିଷ ମନର ଅସମାପ୍ତ ଏ ପ୍ରଶ୍ନ-ଜୁଆରର ଉତ୍ତର ଦିଅ ।

 

କିନ୍ତୁ ରୋକିବାକୁ ହେବ, ଭଦ୍ରତା । ସମସ୍ତେ ମୁହଁ ଚାହାଁଚାହିଁ । ପ୍ରତ୍ୟେକେ ଭାବୁଛନ୍ତି ଅନ୍ୟ ସମସ୍ତେ ଉଠିଗଲେ ଭଲ ହୁଅନ୍ତା । କିନ୍ତୁ ଉଠିବାକୁ କେହି ଇଚ୍ଛୁକ ନୁହେଁ । ଫଳରେ ସଂଘର୍ଷମୟ ସ୍ଥିତି, ଅଣୁ ପରମାଣୁ ଧରାଧରି ହୋଇ ସୃଷ୍ଟି କରିଛନ୍ତି ଅକର୍ମଶୀଳା ପଥର, ବଜ୍ର ତୋଫାନ କଟାକଟି ଫଟାଫଟି ପରେ ଫଳିଛି ଗୋଟିଏ ଆଳୁ ।

 

‘‘ପୁଛୋ’’...ନା.।

 

‘‘ପୁଛୋ’’...ନା ।

 

ଉପରେପଡ଼ି ସନ୍ନ୍ୟାସୀ ଜଣଜଣକୁ କଟମଟ କରି ଚାହିଁ ଅଟକି ଅଟକି କହିଗଲେ ପଦେ ପଦେ କଥା, ସେ ସଂକ୍ଷିପ୍ତ, ଓଜନ, ଗମ୍ଭୀର ।

 

ଶରତବାବୁଙ୍କୁ––‘‘ଆପ୍‌କା ଘର୍‌ମେ ବାଜା ବଜେଗୀ ।’’

 

କିଶୋରବାବୁଙ୍କୁ––‘‘ମନ୍‌କା ତୁ ରାଜା ହୋ ।’’

 

ପ୍ରସନ୍ନ ବାବୁଙ୍କୁ––‘‘ଘୁମ୍‌ ଘୁମ୍‌ ଆଓ୍ୱେ, କଛୁ ନ ପାଓ୍ୱେ, ଓ୍ୱ ଆତା ହୈ ଆତା ହୈ ।’’

 

ସୁଧାଂଶୁବାବୁଙ୍କୁ––‘‘ବହୁତ୍‌ ଦୁର୍‌ ଜାନେ ହୋଗା ।’’

 

ପଶୁଡାକ୍ତର ବାବୁଙ୍କୁ––‘‘ଦୁଷମନ୍‌ ହୋଗା ପରେଶାନ୍‌ ।’’

 

ଡାକ୍ତରବାବୁଙ୍କୁ––‘‘ଦିନ୍‌ ନଜଦିକ୍‌ ହୈ ତୁହ୍ମାରା ।’’

 

ସମସ୍ତେ ସ୍ତବ୍‌ଧ । ପ୍ରଶ୍ନ ପଚରା ନାହିଁ, ଉତ୍ତର ମିଳିଛି ।

 

ସମସ୍ତିଙ୍କ ହାତକୁ ଟିକିଏ ଟିକିଏ କଳାଗୁଣ୍ଡ ଓ ଗୋଟିଏ ଗୋଟିଏ ରୁଦ୍ରାକ୍ଷ ବଢ଼େଇଦେଲେ । ପ୍ରଶ୍ନର ସୁବିଧା ନ ଦେଇ ଠିଆହୋଇପଡ଼ି ଆନନ୍ଦ ଧ୍ୱନି କଲେ, ‘‘ଆନନ୍ଦ ହୋ’’ । ତା’ପରେ ଶଙ୍ଖରେ ମୁହଁ ଦେଇ ପ୍ରଚଣ୍ଡ ନାଦ । ସକାଳ ନଟା, ଖରା ଝଲ ଝଲ । କିନ୍ତୁ ସତେଯେପରି ସ୍ଥୂଳ ସ୍ଥିତିର ସ୍ତର ବଦଳିଯାଇଛି, ମାଧ୍ୟମ ନୁହେଁ ଖରାଛୁଆଣି ସକାଳବେଳ, ସେ ଆଉ କିଛି, ସେ ମାୟାଲୋକ ।

 

କିନ୍ତୁ ସନ୍ନ୍ୟାସୀ ତାକୁ ବଢ଼େଇ ବିଛେଇ କଣା କରିବାକୁ ଅନିଚ୍ଛୁକ, ସେଇଠି ସେ ରହିଲା, କେଉଁ ମୁହୂର୍ତ୍ତର ଫଟୋ ପରି । ସନ୍ନ୍ୟାସୀ ଦୁଆରମୁହଁକୁ ମୋହିଁଲେଣି, କିଛି ମାଗୁନାହାନ୍ତି, କିଛି ଚାହୁଁନାହାନ୍ତି, କେବଳ––ଯିବାକୁ ବାହାରିଲେ ବି ସେ ତର ତର ନୁହନ୍ତି ।

 

ସମସ୍ତେ ବ୍ୟସ୍ତ ହୋଇପଡ଼ିଲେ । ଶରତବାବୁ, କିଶୋରବାବୁ ଆଖିରେ କୁହାକୋହି ହେଲେ । ଦିଶିଯାଉଛି ଆପଣା ଆପଣା ଘରର ପରମ୍ପରାଗତ ମର୍ଯ୍ୟାଦା, ଆଭିଜାତ୍ୟ, କେଉଁ ଦୂରରେ ସେ; କିନ୍ତୁ ପ୍ରବାସକୁ ଲମ୍ୱିଆସିଛି ତା’ର ଓହଳ । ତା’ର ଯୋଗ୍ୟ ହେବାକୁ ପଡ଼ିବ ।

 

ଦେବାକୁ ହେବ ।

 

ବାଟଖର୍ଚ୍ଚ ଦେଇ ହାତଟେକା ଆଶୀର୍ବାଦ ପାଇ ସମସ୍ତେ ଫେରିଆସି ବସିପଡ଼ିଲେ । ସନ୍ନ୍ୟାସୀ ବାଟ ଧରିଲେ, ଯିବାକୁ ହେବ ବହୁ ଦୂର ।

 

ଶରତବାବୁଙ୍କ ବସିବା ଘରେ ଲାଗିଛି ଉଞ୍ଚତୁଣ୍ଡର ରୋଳ, ଢାଙ୍କୁଣି ଉଠିଛି । ଭବିଷ୍ୟତ୍‌ବକ୍ତା ଯାଇଛି । ନିଭୃତରେ ବିଶ୍ୱାସ ଉପୁଜାଇ ଚମକ ଲଗେଇଦେଇ ସେ ଯାଇଛି । କିନ୍ତୁ ଛାଇଅନ୍ଧାରୀ ମାୟାବାଦକୁ ଡରୁଥିବା ମନ ପଳାଇ ଲୁଚିବାକୁ ଚାହେଁ ଜଡ଼ବାଦରେ, ମୋଟା ହାତରେ ମୋଟା ଚୌକିକୁ ଧରି ଦେହ ଭରାଦେଇ ବସି ଟେବୁଲରେ ଗୋଡ଼ ଲମ୍ୱେଇ କହିବାକୁ ଚାହେଁ ଏଇଠି ମୁଁ ବସିଛି, ଏହି ମୋର ସ୍ଥିତି, ମୁଁ ହଜିନାହିଁ; ତେଣୁ ସାନ ଦୁର୍ବଳତା ଲାଗି ଅନୁତାପ କରିବାକୁ ହେବ, ବିଶ୍ୱାସକୁ ଛେଚିବାକୁ ପଡ଼ିବ । ଅବିଶ୍ୱାସୀ ଯୁକ୍ତିବାଦରେ । ରୁକ୍ଷ ଥଟ୍ଟା, ଟାଣ ହସ ।

 

‘‘ବୋଟସ୍‌’’––ସୁଧାଂଶୁବାବୁ କହିଲେ, ‘‘ଠକାମିର ଚୂଡ଼ାନ୍ତ, କ’ଣ ଫେର ଦେଲେକି ଶରତବାବୁ ?’’ ଶରତବାବୁ ହସୁଛନ୍ତି । ସମସ୍ତେ ତାଙ୍କୁହିଁ ଚାହିଁ କୋରସ୍‌ ଛାଡ଼ିଛନ୍ତି––‘‘ଆପକା ଘର୍‌ମେ ବାଜା ବଜେଗୀ ।’’

 

‘‘କେମିତି ଲାଗିଲା ପ୍ରସନ୍ନବାବୁ––‘‘ଘୁମ୍‌ ଘୁମ୍‌ ଆଓ୍ୱେ, କଛୁ ନା ପାଓ୍ୱେ, ଓ୍ୱ ଆତା ହୈ, ଆତା ହୈ ।’’

 

କିଶୋରବାବୁ କହିଲେ––‘‘ଯାହା କହନ୍ତୁ, ରାଷ୍ଟ୍ରଭାଷାର ପଦଲାଳିତ୍ୟ ଅଛି ।’’

 

‘‘ରାଷ୍ଟ୍ରଭାଷା ! ଆହୋ ଏକ୍‌କାବାଲା, ହ’କରୋ, ହ’କରୋ ।’’

 

ଏଗାର

 

ଘରେ ଘରେ ଜଣେ ଜଣେ ପଣ୍ଡିତ, ଗଣକ, ଜ୍ୟୋତିଷ, ବାବାଜି, ନାଁ ଯାହାହେଉ––ଜଣେ ଆଶ୍ଚର୍ଯ୍ୟବକ୍ତା, ଘରେ ଘରେ ।

 

ସାନଠୁଁ ବଡ଼ଯାକେ, ଘରେ ଘରେ ।

 

ଦେଖା ପରଖା ବୁଦ୍ଧି ବିଚାରମୟ । କାରଣ ଓ ଫଳର ମପାଚୁପା ଜୀବନର ପିଞ୍ଜୁରୀର ଚାବିକାଠି ତାହାରି ହାତରେ, ସେ ଆସିବ––ସବୁ ହାଲ୍‌ଚାଲ୍‌ ଯେତେବେଳେ ଭଲ ଅବସ୍ଥାରେ ଅଛି, ଆସି କହିବ––‘‘ଉହୁଁ ଏ ଚୋରା ଖରା, ଆଗରେ ଶନି ଚଳୁଛି, ଦୃଷ୍ଟି ପଡ଼ିଆସୁଛି, ରକ୍ତଚକ୍ଷୁ ମଙ୍ଗଳର, ହୁସିଆର୍‌ ହୁସିଆର୍‌ ।’’ ପୁଣି ସବୁ ଯେତେବେଳେ ଓଲଟା ପାଲଟା ଚିତ୍‌ପଟାଂ । ଯେଉଁ ଡାଳ ଧରିଲେ ସେ ଡାଳ ଭାଙ୍ଗୁଛି, ସେହି ଆସି କହିବ, ‘‘ଭୟ ନାହିଁ, ଆଉ ଦିନ କେଇଟା ତା’ପରେ ବୃହସ୍ପତି ଆସୁଛନ୍ତି, ବୁଧ ଶୁଭ ସ୍ଥାନରେ, ଏଥର ଅଟକାଏ କିଏ, ହଜିଲା ଗାଈ ଫେରିଆସିବ, ମଲା ମଣିଷ ଓ’ କରିବ, ଯାହା ଛୁଇଁବ ତାହା ସୁନା ହେବ ।’’ ସୁଖଦୁଃଖର ଟଳଟଳ ଖସଡ଼ାରେ ମଣିଷ ସମସ୍ଥିତି ଖୋଜୁ ଖୋଜୁ ଆଶ୍ରା ବୋଲି ତାକୁ ହିଁ ଧରେ, ତାକୁ ମୁଣ୍ଡାଏ । ସେ ଗୋଟିଏ ଗୋପନୀୟ ଦୁର୍ବଳତା ।

 

ଶରତବାବୁ ଭାବୁଥାନ୍ତି––ସେ ଗୋଟାଏ ଗୋପନୀୟ ଦୁର୍ବଳତା । ଦୁନିଆଁର ଏ ସାନ ସାନ ଦୁର୍ବଳତାକୁ ଉଦାର ଦୃଷ୍ଟିରେ ଥରେ ଦେଖିଲେ ହସ ମାଡ଼େ, ଭାବୁକତାରେ ହସ ବି ଉପୁଜେ ପ୍ରଚୁର ।

 

ମନେପଡ଼ୁଛି କେତେ ଲୋକ, ବଡ଼ ଟାଣ ପଦାରେ, ପ୍ରଖର ବୁଦ୍ଧି, ପ୍ରଚୁର ସଭ୍ୟତା, ତୁଙ୍ଗ ଆସନ ସମାଜରେ ।

 

କିଏ ବିଶ୍ୱାସ କରିବ ତାଙ୍କର ବି ଅଛି ଜଣେ ପଣ୍ଡିତ, ନିତାନ୍ତ ମଳିମୁଣ୍ଡିଆ, ଯାହାଙ୍କ ପ୍ରତାପରେ ଶିଳ ଶିଳୁପତା ଗଗନରେ ଉଡ଼ନ୍ତି । ସେ ଲୁଚି ଲୁଚି ସେହି ପଣ୍ଡିତଙ୍କୁ ପଚାରନ୍ତି ଭାଗ୍ୟର ଫଳାଫଳ, ରାଷ୍ଟ୍ରର ଭବିଷ୍ୟତ୍‌ । ସେଠି ଅଳି କରନ୍ତି, ନିବେଦନ ଜଣାନ୍ତି, ଟାକୁକିନା ଗିଳିପକାନ୍ତି ପ୍ରତ୍ୟେକ ବଚନ, ସତେକି ସେ ବେଦର ଗାର, ବଡ଼ ବଡ଼ ବ୍ୟବସାୟୀଙ୍କ ବେପାରରେ ବିଚିତ୍ର ନିଷ୍ପତ୍ତି, ନାମୀ ଲୋକଙ୍କର ନାନା ଯୋଜନା––ଜାଣିପାରେ କିଏ ତହିଁରେ ଗୁପ୍ତ ଖଡ଼ି ଗୋଟାଳିର କରାମତି କେତେ, କେତେ ତହିଁରେ ପାଣିନାଗିକୁ ଭରସା ଓ ନିର୍ଭର । ପଣ୍ଡିତ ଆସନ୍ତି ପଣ୍ଡିତ ଯାଆନ୍ତି, ବାହାରେ ସେକଥା ବାଜେ ନାହିଁ ।

 

ଶରତବାବୁ ସୂକ୍ଷ୍ମ ଦୃଷ୍ଟିରେ ଜଣାଶୁଣା ଅଭିଜ୍ଞତା ଭାବି ଦେଖୁଥିଲେ, ହସିବାକୁ ଚେଷ୍ଟା କରୁଥିଲେ । ଭାବୁଥିଲେ, ବାବାଜିକୁ ସେ ଯେଉଁ ବିଦାକି ଦେଇଛନ୍ତି, ତାହା ଖାଲି ସାଧାରଣ ଦୟାରୁ-। ଦୟା ପୁରୁଷର ଭୂଷଣ, କିନ୍ତୁ ବାବାଜି ପ୍ରତି ତାଙ୍କର ହେୟ ଦୟା––ବାବାଜି, ସେ ବିଚରା ମଣିଷର କୁତୂହଳର ଦୁର୍ବଳତା ଉପରେ ବେଉସା କରେ, ତା’ର କିଛି ଦୋଷ ନାହିଁ ।

 

କିନ୍ତୁ ଏଡ଼େ ସହଜରେ ଯେ ହସି ଉଡ଼େଇ ହୁଏନାହିଁ । ଯେତେବେଳେ ବାହାରର କେହି ଦୃଷ୍ଟିପଥରେ ନାହାନ୍ତି ତାଙ୍କର ନିଜର ନିଜତ୍ୱର ଚେତନା ଆଣିବାକୁ, ସେତେବେଳେ ବାବାଜିର ମାୟାବାଦ ସତପରି ଲାଗେ, ଅତୃପ୍ତ ଆକାଙ୍‍କ୍ଷା ମୂର୍ତ୍ତିମନ୍ତ ହୁଏ ତା’ର ଭରସାବହୁଳ ହାବଭାବର ଛବିରେ । ‘‘ଆପ୍‌କୀ ଘର୍‍ମେ ବାଜା ବଜେଗୀ’’ ସତ ହୋଇପାରେ । କି ବାଜା ? କାହାର ବିବାହ ? ଅନାଗତ ସନ୍ତାନର ଏକୋଇଶା ? ନା ଆଶା ଫଳିବାର ଗୋଟାଏ ଉତ୍ସବ ?

 

‘‘ଆପ୍‌କୀ ଘର୍‍ମେ ବାଜା ବଜେଗୀ...’’

 

ମନରେ ଅଛି ଯାହା ତାହାହେଲେ ଗୋଟାଏ ଉତ୍ସବ କରେଇବା ବଡ଼କଥା ନୁହେଁ ।

 

ଗୋଲ୍‌ଗାଲ୍‌ ହସ ହସ ମୁହଁ ସାମ୍‌ନାରେ ଝକ୍‌ ମକ୍‌ କରୁଛି ଭବିଷ୍ୟତ୍‌ । ସମସ୍ତେ ସମ୍ୱର୍ଦ୍ଧନା ଜଣେଇବାକୁ ଆସୁଛନ୍ତି । ଦାଣ୍ଡ ଦୁଆରେ କାନଅତରା ପକେଇ ବାଜା ବାଜୁଛି, ବାଜା ବାଜୁଛି ।

 

କିଶୋରବାବୁ ପୁଣି ଆଉ ଗୋଟିଏ ଗଳ୍ପ ଲେଖୁଛନ୍ତି । ବେଳେ ବେଳେ ଓଠରେ କଲମ ଗେଞ୍ଜି ଭାବିଲା ବେଳକୁ ମନର ଭିତରେ ଶୁଭୁଛି––ମନରେ ସେ ରଜା । ସାହିତ୍ୟ ଚାଲିଛି, କାଗଜରେ ବ୍ୟକ୍ତିତ୍ୱ ପୂର୍ଣ୍ଣତା ପାଉଛି, କାଗଜରେ ଅକ୍ଷରର ସଂସାର, ସେଠି ବାହାରର ଚହଳ ପହଞ୍ଚେ ନାହିଁ, ସେଠି ବନ୍ଧନ ନାହିଁ, ଦୁଃଖ ନାହିଁ, ସ୍ୱାଧୀନ କଲମ ରାମ୍ଫି ଚାଲିଛି ସ୍ୱାଧୀନ ଅନୁଭୂତି । ମନ ତୁଳନା କରି ଦେଖେ ନିଜକୁ ଅନ୍ୟମାନଙ୍କ ସଙ୍ଗେ––ଆଜିକୁ ମୋଟେ ଶହେବର୍ଷ ପରେ––ସେମାନେ ନଥିବେ, ସେମାନଙ୍କର ଆଜିକା ହଟଚମକ କେଉଁଦିନୁଁ ଲୋକେ ପାଶୋରିଥିବେ । କେତେ ମହାପାତ୍ର, କେତେ ଗଣକ, କେତେ ଦଣ୍ଡପତି ଶାସନ କରିଛନ୍ତି ଅତୀତରେ, ନିଜ ପ୍ରତାପରେ ନିଜ ପରିସରର ସେହି କ୍ଷୁଦ୍ର ବର୍ଷ କେଇଟାରେ ଦେଖାଇଛନ୍ତି ତାଙ୍କର ମଦାନ୍ଧ ତେଜ––ଆଜି ତାଙ୍କର ପତ୍ତା ନାହିଁ ।

 

ସେତେବେଳେ ସେମାନେ ବି ଭାବିଥିବେ ‘‘ଆମରି ଏ ଦୁନିଆଁ, ଆମେ ରହିବୁଁ, ଆମ ଘର ରହିଥିବ ।’’ ସେଥିପାଇଁ କେତେ କୌଶଳ, କି ପରିଶ୍ରମ, କି ବିନିଦ୍ର ଚିନ୍ତା ।

 

ସବୁ ସେହିପରି ରହିଛି, ସେମାନେ ନାହାନ୍ତି ।

 

କିନ୍ତୁ ସାହିତ୍ୟିକ ! ––‘‘ମନର ତୁ ରଜା ।’’ ଆଶ୍ଚର୍ଯ୍ୟ, ଜାଣିଲା କେମିତି ? ରଜା ଆଜିର ନୁହେଁ । ରଜା ଭବିଷ୍ୟତର । ଶହେବର୍ଷ ପରେ, ଜୟନ୍ତୀ ଉତ୍ସବ ହେଉଥିବ, ମୃତ୍ୟୁ ଦିବସରେ ଶୋକସଭା ହେଉଥିବ, ଝୁରି ଝୁରି ଶୋକ କରୁଥିବେ, ସାମ୍ନାରେ ଜାତୀୟ ସଭାଘରେ ତୈଳଚିତ୍ର, ପଥର ମୂର୍ତ୍ତି । ଶୋକ କରୁଥିବେ ହାୟ ! ହାୟ !
 

ମନର ରଜା ଶହେବର୍ଷ ଆଗକୁ ଦୂରେଇ ଯାଇ ସମବେତ ଭଦ୍ରମଣ୍ଡଳୀ ତୁଲେ ନିଜପାଇଁ ନିଜେ ଗାଇଗଲେ ଶ୍ରଦ୍ଧାଞ୍ଜଳି, ‘‘ହଁ, ବଡ଼ ସାହିତ୍ୟିକ ଥିଲେ ସେ––ତାଙ୍କ ଅଭାବର କ୍ଷତଦେଶ ଏପର୍ଯ୍ୟନ୍ତ ସୁଧୁରେଇ ପାରିନାହିଁ । ସେ ଥିଲେ ମନର ରଜା––’’

 

ଗଳ୍ପ ଲେଖା ହୋଇପାରୁନାହିଁ, ଅଟକିଛି । ଦୁଆର ମୁହଁରେ ପ୍ରସନ୍ନବାବୁଙ୍କ ଚହଳ––‘‘କି କିଶୋରବାବୁ ଅଛନ୍ତି ନା ?’’

 

‘‘ହଁ ମୁଁ ଅଛି ।’’

 

‘‘କ’ଣ କରୁଛନ୍ତି ? ଆଚ୍ଛା ମୁଁ ଭାବୁଛି କ’ଣ ଜାଣନ୍ତି ? ସେ ଲୋକଟାର କଥାରେ କିଛି ସତ ଥାଇପାରେ । ସେ କହିଲା ନା...ଆତା ହୈ ଆତା ହୈ...ରବିବାବୁ ଶୁଣି ଆସିଛନ୍ତି । ଏଥର କୁଆଡ଼େ ବାରଜଣ ନଉଛନ୍ତି, ମୁଁ ତ ଅଛି ତିନିରେ, ମତେ ବିପିନ୍‌ କହୁଥିଲା, ଆଉ ପାଢ଼ୀବାବୁଙ୍କ ଜୋଇଁ କହୁଥିଲା ଏଥର ବାହାରୁଛି ଖୁବ୍‍ ଶୀଘ୍ର । ଗାଡ଼ିଟାଏ ଏଥର ନିହାତି କିଣିବାକୁ ହେଲା ତା’ହେଲେ, ନା’ କ’ଣ କହୁଛନ୍ତି ? ଆଉ ହଁ, ଏକା ଏ ଲୋକ ନୁହେଁ, ବରଗାଁର ସେ ବୁଢ଼ା ବି ଜାତକ ଦେଖି ସେଇଆ କହିଛି । କହିଛି ନଅ ତାରିଖରୁ ସତର ତାରିଖ ଭିତରେ । ନା...ଏ ବାବାଜି କିଛି ଜାଣିଛି ନିଶ୍ଚୟ, ଦେଖିଲେ ନାହିଁ କେମିତି ନିରେଖି ଚାହିଁଲା ?’’

 

ପ୍ରତ୍ୟେକ ପ୍ରମାଣ ଅକାଟ୍ୟ, ପ୍ରସନ୍ନବାବୁ ଆଉ ସ୍ଥିର ରହିପାରୁନାହାନ୍ତି, ଚାଲିଯାଉଛନ୍ତି । କିଶୋରବାବୁ ମୃଦୁ ହସି ଚାହିଁଛନ୍ତି, ଭାବୁଛନ୍ତି...ହାୟ ମଣିଷର ଆଶାଆକାଂକ୍ଷା...

 

କେତେ ଗଣକ, କେତେ ଖଣ୍ଡପତି, କେତେ ବିଷୋୟୀ––ଏମିତି ଭାବି ଭାବି ଅନ୍ଧାରରେ ଲୁଚିଛନ୍ତି ।

 

ଭାବୁଛନ୍ତି ନିଜର ପୃଥିବୀ ତାଙ୍କର ନିଆରା––ମନ୍‌କା ତୁ ରାଜା ହୋ ।

 

ଆର ଘରୁ ପଶୁଡାକ୍ତରବାବୁଙ୍କ ଉତ୍ସାହିତ ଗର୍ଜନ ଶୁଭୁଛି । ଘରଭିତରେ ମାର୍ଚ୍ଚିଂ କରି କରି ତାଳ ରଖି ସେ ଗାଉଛନ୍ତି––‘‘ଚଲ୍‌ ଚଲ୍‌ରେ ନଓ ଜୋଆନ୍‌ ।’’ ଲଗେଇ ଦେଉଛନ୍ତି–‘‘ମର୍‌ନା ତେରା କାମ୍‌––ଦୁଷ୍ମନ୍‌ ହୋଗା ପରେଶାନ୍‌...’

 

ଏବଂ ଡାକ୍ତରବାବୁ ଅପେକ୍ଷା କରିଛନ୍ତି ଡାକବାଲାକୁ, ସତେ କ’ଣ ?

 

ବାର

 

ଧାରଣାଟି ସୁଧାଂଶୁବାବୁଙ୍କର, ଗମ୍ଭୀର ହୋଇ ଆସି ଶରତବାବୁଙ୍କ ଆଗେ ବ୍ୟାଖ୍ୟାନ କଲେ । ସଙ୍ଗେ ସଙ୍ଗେ ସମର୍ଥନ । କିଶୋରବାବୁଙ୍କୁ ଡକାହେଲା । ପୁଣି ମନ୍ତ୍ରଣାସଭା ।

 

ସଞ୍ଜ ବୁଡ଼େ ଡେଙ୍ଗୁରା ଦିଆହେଲା ସାହିରେ ଓ ସାହିବାହାରେ, ‘‘ଶୁଣ ସମସ୍ତେ, ଯେ ଟେକା ପକାଉଛି, ପୁଲିସ୍‌ରେ ତାକୁ ଦିଆହେବ ନାହିଁ, କିଛି କରାହେବ ନାହିଁ, ଖାଲି ଗୋଟାଏ ପୂଜା କରାହେବ, ଯେପରି ତିନିଦିନ ଭିତରେ ତାକୁ ପଡ଼ିବ ଦୈବୀ ଦଣ୍ଡ । ଆଜିଠୁଁ ପୂଜା ହେବ ତିନିଦିନ-।’’

 

ଖୋଜି ଖୋଜି ପୁଲିସ୍‌ ପହଞ୍ଚିଛନ୍ତି ଅନ୍ଧାରୀ ଗଳିରେ ଗୋଟିଏ ସାନଘର ପାଖେ । ବାହାରେ ଗୋଟିଏ ଖୋଲା ନଳାର କଳା ସୁଅ, ହଠାତ୍‌ ଉଦ୍ଦେଶ୍ୟହୀନ ହୋଇ ବଙ୍କେଇ ବଙ୍କେଇ ଯାଇ କେଉଁଠି ଛପି ଯାଇଛି । ପିଣ୍ଢାରେ ବସି ରହିଛନ୍ତି ଜଣେ ପୋଷାକ ପିନ୍ଧା ପୁଲିସ୍‌ କର୍ମଚାରୀ । ସାହିରେ ଟୁପ୍‌ ଟାପ୍‌ ଚାଲିଛି । ଅନ୍ୟ କେତୋଟି ଘରୁ ବାରିବାଟେ କେତେଜଣ ଛିଣ୍ଡା ମଇଳାପିନ୍ଧା ଲୋକ ତରତର ହୋଇ ଚାଲିଛନ୍ତି ମଟର ଷ୍ଟେସନଆଡ଼କୁ, ମଟରର ବେଳ ହୋଇଯାଉଛି ।

 

ତେର

 

ଆଉ ଟେକା ପଡ଼ିଲା ନାହିଁ ।

 

ଚଉଦ

 

କିଶୋରବାବୁ ଗଳ୍ପ ଲେଖୁଛନ୍ତି, କଅଁଳିଆ ସକାଳ ଖେଳୁଛି ।

 

କାହାଣୀର କଥାବସ୍ତୁ ଦରକାର । ପ୍ଲଟ୍‌––ପ୍ଲଟ୍‌––କାହିଁ ପ୍ଲଟ୍‌ ? ତେବେ ଏଗୁଡ଼ା ଏତେ ଗାରେଇ କ’ଣ ହେବ ?

 

କାଗଜ ଉପରେ କଲମ ଯୋଖି ଟିକିଏ ନିରୋଳା ବେଳର ସନ୍ଧାନ କରିପାରିଲେ ହଠାତ୍‌ ଚେତନା ଭାଁ ଭାଁ କରେ, ଯେପରି ହଠାତ୍‌ ସମସ୍ତେ ଚାହାନ୍ତି ପ୍ରବେଶ ।

 

ଘର, ଗାଁ । ବାପା ବୋଉ । ପିଲାଦିନର ସାଥୀ । ରାସ୍ତାର ବନ୍ଧୁ ଦି’ମିନିଟ୍‌ର । ବେଶୀ ବେଳର ବନ୍ଧୁ ବାନ୍ଧବୀ । ସମାପ୍ତି ପାରଥିବା ସମ୍ୱନ୍ଧ, ଯାହାକୁ ନିରେଖି ଦେଖି ଦୋଷଗୁଣ ବାଛି ହୁଏ, ଅବୟବ ଆଙ୍କି ହୁଏ । ଅସମାପ୍ତ ସମ୍ପର୍କ ଓ ସମ୍ୱନ୍ଧ––କେବଳ ଉଚ୍ଛ୍ୱାସର ପ୍ରବଣତା । ଦେଖା ଦୃଶ୍ୟ, ଅଦେଖା ସ୍ୱପ୍ନ । ପ୍ରକୃତି ଆକାଶ । ଧୂଳି, ଧୂଆଁ । କାହିଁ ପ୍ଲଟ୍‌ ? ––ତା’ର ଯେ ଦରକାର ଗୋଟାଏ ଅଗ, ଗୋଟାଏ ମଝି ଓ ଗୋଟାଏ ମୁଣ୍ଡି । ଏହି ଲମ୍ୱିଛି ରାସ୍ତା––ଶରତ୍‌ବାବୁଙ୍କ ଗଳି । ଲୋକ ଆସୁଛନ୍ତି, ଲୋକ ଯାଉଛନ୍ତି, ଲୋକ ବସତି କରିଛନ୍ତି । କାହିଁ, ପ୍ଲଟ୍‌ ଆଖିରେ ପଡ଼ୁନାହିଁ ତ ।

 

ଚଞ୍ଚଳ ଲେଖିବାକୁ ହେବ, ନ ହେଲେ କେତେବେଳେ କେଉଁ ବନ୍ଧୁଙ୍କର ଶୁଭାଗମନ । ତା’ପରେ ଯବନିକା ।

 

‘‘ହେଁ ହେଁ ହେଁ କିଶୋର––ଲେଖା ଚାଲିଛିନା ? ବେଶ୍‌ । ବେଶ୍‌ । ତମେ ହିଁ ଜିତିଲ ଦେଖୁଛି । କ’ଣ ଲେଖୁଚ ଦେଖେଁ । ଆମକଥା କିଛି ନାହିଁ ତ ?’’

 

‘‘କ’ଣ ଏତେ ଗାରୋଉଛନ୍ତି, ଥାଉ, ଆସନ୍ତୁ ଗପ କରିବା । ଆରେ, ଖଣ୍ଡେ ସିଗାରେଟ୍‌ ଆଣିଲୁ । ହଁ, ସେ ମଟର ଏଜେଣ୍ଟ୍‌ ପୁଣି ଆସିଥିଲା । ଆଚ୍ଛା, ଆପଣଙ୍କ ମଟର୍‌ଟା ଆଣୁନାହାନ୍ତି କାହିଁକି ? ଆପଣ ଘରକୁ ଯାଉଛନ୍ତି ପରା, ଟିକିଏ ବୁଝିଆସି ପାରିବେ ? ଆମ ଫଳ କେବେ ବାହାରିବ ?’’

 

‘‘ଆରେ ରେ ରେ ରେ...ମିଷ୍ଟାର୍‌, ମିଷ୍ଟାର୍‌, ପଦାକୁ ଆସ, ସବୁବେଳେ ଘରେ କାହିଁକି ବାବା...’’

 

ତରତର, ତରତର, ସେମାନେ ଆସିବେ ପରା ।

 

ସମସ୍ତେ ପ୍ରବେଶ ଚାହାନ୍ତି । ମନ ଚାହେଁ କାଗଜରେ ପଦାଆଲୁଅ ପକେଇବାକୁ ଯେତେ ଇଚ୍ଛା ସେତେ । ଶେଷରେ ଖାଲି ସବୁ ଝଲ୍‌ଝଲ୍‌ କରେ, ତଳେ ଅରଣ୍ୟ । ଅଣ୍ଟା ଭିଡ଼ି କିଶୋରବାବୁ ଲାଗିଛନ୍ତି, ସିଗାରେଟ୍‌ ପରେ ସିଗାରେଟ୍‌ ଭସ୍ମ ହୋଇଯାଉଛି, ଏକା ଦୃଷ୍ଟିରେ ଚାହିଁରହି ଉତ୍ତାଳ ଭାବନା ଭିତରୁ ଗୋଟାଏ ଖିଅ ଧରିବାକୁ ଚାହିଁଛନ୍ତି ।

 

‘‘ବାଃ, ବସିଛ ତ, ରଖିଲ ଟିକିଏ ।’’

 

ଟେବୁଲ୍ ଉପରେ ବସିରହିଛି ଏକବର୍ଷର ଝିଅ ମିନି । ମିଟିମିଟି ହୋଇ ସବୁ ବୁଝିଲା ପରି ଆଖିରେ ଅନେଇଁ ରହିଛି । କଣ୍ଢେଇ ପରି ଛୋଟ ଛୁଆଟିଏ, ସତେଯେପରି ତା’ ମା’କୁ କିଏ ଅତି ସାନ କରିଦେଇ ସେଠି ଥୋଇଦେଇଛି ।

 

ମିନିକି ଚାହିଁଲେ କିଶୋରବାବୁଙ୍କ ମନ ହଜିଯାଏ । କିଶୋରବାବୁ ତା’ଆଡ଼କୁ ମୁହଁ କରିଛନ୍ତି । ତାହାରି ଉପରେ ଦୃଷ୍ଟି ଥାପିଛନ୍ତି କିନ୍ତୁ ତାକୁ ଦେଖୁ ଦେଖୁ ଦୃଷ୍ଟି ପକେଇଲେଣି ତା’ର ପଛକୁ । ସେଠି ଅନୁଭୂତିର ସ୍ପନ୍ଦନରେ ହୃଦୟ ଥରୁଛି, ଜଡ଼ ଦେହ ତରଳିଯାଇଛି ଜହ୍ନ ଆଲୁଅରେ; ଆକାଶ ମୁକ୍ତ, ଭାବନା ମୁକ୍ତ । ଘରୁ ଆସୁଛି ଘରୋଇ ବାସ୍ନା, ଥାଇ ଥାଇ କେତେ ଟିକି ଟିକି ଶବ୍ଦ, ଶାଢ଼ିର ଖସ୍‌ ଖସ୍‌, କାଚର ଝଣ୍ ଝଣ୍ । ରୋଷେଇ ଘରେ ପୂଜାରୀ ଦୃଢ଼ପ୍ରତିଜ୍ଞ ହୋଇ ଶିଳ ରଗଡ଼ିବା ଆରମ୍ଭ କଲାଣି । ଏଥର କିଶୋରବାବୁ ମିନିକୁ ପରିଷ୍କାର ଦେଖିଲେ । ଏକବର୍ଷର ପିଲା ଟେବୁଲ୍‌ ଉପରେ ଲେପ୍‌ଟେଇ ପଡ଼ିଛି; ବଡ଼ ଆଁ କରିଛି । ପାଟିରୁ ଲାଳ ବୋହୁଛି । ଦୁଇ ସାନ ସାନ ହାତରେ ଗଳ୍ପଲେଖା କାଗଜକୁ ଓଟାରି ଛିଣ୍ଡେଇ ପାଟିରେ ପୂରୋଉଛି ।

 

‘‘ମିନି ମିନି...’’

 

ମିନତି ଶୁଣି ବେକଟେକି ଚାହିଁ ବୁଭୁକ୍ଷୁ ଭବିଷ୍ୟତ୍‌ ଅଳ୍ପ ଟିକିଏ ହସିଦେଲା, ତା’ପରେ ଧରିଲା ଆଉ ପୁଳିଏ ।

Image